
ନୂଆପଡ଼ା, ୧୬ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ଯରେ ସ୍ଥାନୀୟ ଲୋହିତାକ୍ଷ ଯୋଷୀଙ୍କ ପାଠାଗାର ଠାରେ ପୁସ୍ତକ ଲୋକାର୍ପଣ ସମାରୋହ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଶ୍ବିନୀ କୁମାର ପାଢୀଙ୍କ ଅଧ୍ଯକ୍ଷତାରେ ଓଡ଼ିଶା ସାହିତ୍ଯ ଏକାଡେମୀର ପ୍ରାକ୍ତନ ସଦସ୍ଯ ତଥା କଣ୍ଟାବାଞ୍ଜି କେଭି ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ ସଂପାଦିତ ପୁସ୍ତକ ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଖ୍ଯବକ୍ତା ଭାବରେ ପ୍ରଥିତଯଶା କବି ଡାକ୍ତର ବାସୁଦେବ ସୁନାନୀ ଯୋଗଦେଇ ଓଡ଼ିଆ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ପ୍ରସଙ୍ଗ ଉପରେ ବକ୍ତବ୍ଯ ରଖିଥିଲେ। ସାହିତ୍ଯିକ ଡକ୍ଟର ଗୋବର୍ଦ୍ଧନ ନାୟକ, କେଭି କଲେଜ ଅଧ୍ୟକ୍ଷ ଡଃ.ମନୋଜ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପଦ୍ମଲୋଚନ ବର୍ମା ଲୋକାର୍ପିତ ପୁସ୍ତକ ବିଷୟରେ ବକ୍ତବ୍ଯ ରଖିଥିଲେ । ପ୍ରତିଷ୍ଠାନର ସଭାପତି ତଥା କଣ୍ଟାବାଞ୍ଜି ମୁକୁନ୍ଦିଲାଲ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଞ୍ଜିବନୀ ସୁଧା ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ସାମୁଏଲ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସମାରୋହରେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟର୍ଜୀ, ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଅଞ୍ଜଳି ପାଢୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, କବି ନୀଳଲୋହିତ ସିଂହ ଦେବ, ସମାଜସେବୀ ଅବନୀ ମୋହନ ପାଣିଗ୍ରାହୀ, ସତୀଶ କୁମାର ପଟ୍ଟନାୟକ, ଡକ୍ଟର ତରୁଣ କୁମାର ପ୍ରଧାନ, ଅବନୀ ଖମାରୀ, ନୀଳୀମାରାଣୀ ସାଗର, ଆଦିତ୍ଯ ନାରାୟଣ ପଣ୍ଡା, ଶୈଳେନ୍ଦ୍ର ମୋହନ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ଠାକୁର, ଅବକାଶ ନାରାୟଣ ପଣ୍ଡା, ବ୍ରଜମୋହନ ମେହେର, ଗଜେନ୍ଦ୍ର ହରିଜନ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ