
ନୂଆପଡ଼ା, ୧୯ ଏପ୍ରିଲ (ହି.ସ.)- ଦିନ ଥିଲା ନିଜ ଅଞ୍ଚଳରେ କମାର ଜାତିର ପୁରୁଷ ମହିଳାଙ୍କ ଦ୍ବାରା ବାଉଁଶରୁ ହାତ ତିଆରି କୁଲା, ଟୋପା, ଭୋଗା, ଧୁକନା, ଚାଙ୍ଗରୀ, ଭୁରକି ଆଦି ଘର ଉପକରଣ କିଣି ବ୍ୟବହାର କରୁଥିଲେ । ସେତେବେଳେ ବିକଳ୍ପ ବ୍ୟବସ୍ଥା ନଥିଲା ହେଲେ ଆଧୁନିକ ଯୁଗର ପଦାର୍ପଣ ପରେ ଏବେ ବଜାରରେ ପ୍ଲାଷ୍ଟିକ ତିଆରି ସବୁ ପ୍ରକାର ସାମଗ୍ରୀ ମିଳିବା ଆରମ୍ଭ ହେବାପରେ ବାଉଁଶ ତିଆରି ସାମଗ୍ରୀ ଲୋକେ ମୁହଁ ଫେରାଇବା ଆରମ୍ଭ କଲେଣି । ଫଳରେ ବାଉଁଶ ଶିଳ୍ପକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ନୂଆପଡା ଜିଲାର କମାର ଜାତି ପରିବାର ଦୁର୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲାର ୫ଗୋଟି ବ୍ଲକରେ ବସବାସ କରୁଥିବା କମାର ସଂପ୍ରଦାୟର ଲୋକେ ବାଉଁଶ ତିଆରି ସାମଗ୍ରୀକୁ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ଜାତିର ଲୋକେ ନିକଟସ୍ଥ ବଣ ପାହାଡ, ଜଙ୍ଗଲରୁ କଞ୍ଚା ବାଉଁଶ ଗଛ ସଂଗ୍ରହ କରି ବାଉଁଶରେ ବିଭିନ୍ନ ସାମଗ୍ରୀକୁଲା, ଚାଙ୍କରୀ, ଭୁଗା, ଧୁଜନା, ବେଲା, ସିକୁନ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ସୂକ୍ଷ୍ମ କାରିଗରୀ ସହ ସାମଗ୍ରୀକୁ ଅଧିକ ଆକୃଷ୍ଟ କରିବା ପାଇଁ ମଝିରେ ମଝିରେ ବିଭିନ୍ନ ରଙ୍ଗ ବୋଳା ବାଉଁଶ ପତି ମଧ୍ୟ ଖଞ୍ଜି ଥାନ୍ତି । ସାମଗ୍ରୀ ପ୍ରସ୍ତୁତ ହେଲା ପରେ ତାକୁ ବିଭିନ୍ନ ସ୍ଥାନକୁ ଯାଇ ବୁଲି ବୁଲି ବିକ୍ରୟ କରିଥାନ୍ତି । ପୁଣି ଏହି ସାମଗ୍ରୀକୁ ବିଭିନ୍ନ ବଜାର ମାନଙ୍କରେ ଯାଇ ବିକ୍ରୟ କରିଥାନ୍ତି । ଆଗ୍ରହୀ ଗ୍ରାହକମାନେ ବାଉଁଶ ତିଆରି ସାମଗ୍ରୀ କିଣି ଘରକୁ ନେଇଥାନ୍ତି । କିଛି ଗ୍ରାହକ ମୂଲଚାଲ କରି ସାମଗ୍ରୀ କିଣିଥାନ୍ତି । ତେବେ ଆଧୁନିକତାର ପ୍ରଭାବ ସହ ଲୋକଙ୍କ ଚାଲିଚଳଣି ବଦଳିବାରେ ଲାଗିଥିବା ଯୋଗୁଁ ଆୟ କମାର ସଂପ୍ରଦାୟର ବର୍ତ୍ତମାନ ଦୁର୍ଦିନରେ ଗତି କରୁଛି ବୋଲି ଖଡିଆଳ ବ୍ଲକ ବରଗାଁ କମାରପଡାର ଇନ୍ଦ୍ର ପହରିଆ ପ୍ରକାଶ କରିଛନ୍ତି । ତା' ବଦଳରେ ସୁନ୍ଦର ଦେଖାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ କିଣି ଘରକୁ ଆଣୁଛନ୍ତି । ପ୍ଲାଷ୍ଟିକ ସାମଗ୍ରୀ ସୁନ୍ଦର ଦେଖାଯିବା ସହ ଅଧିକ ଦିନ ଧରି ବ୍ୟବହୃତ ହେଉଥିବା ବେଳେ ବାଉଁଶ ସାମଗ୍ରୀ କମ୍ ଦିନ ମଧ୍ୟରେ ଖରାପ ହୋଇଥାଏ । ଫଳରେ ଲୋକେ ପ୍ଲାଷ୍ଟିକ ସାମଗ୍ରୀକୁ ଅଧିକ ମାତ୍ରାରେ କିଣି ବ୍ୟବହାର କରିଥାନ୍ତି । ହେଲେ ପୂର୍ବଭଳି ଚାହିଦା ନଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲା ସହ ପଶ୍ଚିମ ଓଡିଶାର ଲୋକେ ବିବାହ, ବ୍ରତ ମାନଙ୍କରେ ବାଉଁଶ ତିଆରି ସାମଗ୍ରୀ କିଣି ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ବାଉଁଶ ତିଆରି କରୁଥିବା କାରିଗର ମାନଙ୍କୁ ସରକାରୀ ପ୍ରୋସାହନ ମିଳୁନଥିବା ଅଭିଯୋଗ କରୁଛନ୍ତି । ଯେଉଁ ମାତ୍ରାରେ ଏମାନଙ୍କ ପରିଶ୍ରମ ରହିଛି ସେହି ମାତ୍ରାରେ ସେମାନଙ୍କୁ ପାରିଶ୍ରମିକ ମିଳୁନଥିବା ଜଣାପଡିଛି । ହେଲେ ଏହି ସଂପ୍ରଦାୟର କୌଳିକ ବୃତି ରୂପେ ପରିଚିତ ବାଉଁଶ କାମ ଛାଡିବାକୁ କିଛି ପରିବାର ଅମଙ୍ଗ ହୋଇପଡିଛନ୍ତି । ପୁଣି କିଛି ପରିବାର ବାଉଁଶ ସାମଗ୍ରୀର ଚାହିଦା ଦିନକୁ ଦିନ କମି ଯାଉଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି । ସରକାର କମାର ସଂପ୍ରଦାୟଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ