
ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଧାମନଗର–ଭଣ୍ଡାରୀପୋଖରୀ ସୀମାନ୍ତ ଗୋହିରାଟିକିରୀ ପଛପାଖ କାଞ୍ଜିଆପାଳ ଗେଙ୍ଗୁଟି ନଦୀ କୂଳରେ ଥିବା ଗୋଚର ଅନାବାଦୀ ଜମିରୁ ମାଟି ଓ ବାଲି ଉତୋଳନ କରି ଚୋରି ହେଉଥିବା ଅଭିଯୋଗ ହୋଇଛି। ରାତି ସମୟ ଓ ଛୋଟି ଦିନରେ ଜେସିବି ମାଧ୍ୟମରେ ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ମାଟି ଖୋଳି ତାହାର ଭିତରୁ ବାଲି ବାହାର କରାଯାଉଛି। ଏହି କାର୍ଯ୍ୟ ଦିନ ଓ ରାତିରେ ଚାଲିଥିବା ନେଇ ଅଭିଯୋଗ ରହିଛି, ଯାହା ପରିବେଶ ଓ ସରକାରୀ ସମ୍ପତି ହାନିକାରକ ବୋଲି ମନେ କରାଯାଉଛି। ପ୍ରତି ଟ୍ରାକ୍ଟର ପିଛା ପ୍ରାୟ ୩୦୦ ଟଙ୍କାରେ ବାଲି ବିକ୍ରି ହେଉଥିବାବେଳେ ପ୍ରତିଦିନ ୨୫ରୁ ଅଧିକ ଟ୍ରିପ୍ ଖୋଳା ଯାଉଛି। ଏଥିରେ ୧୫ରୁ ଅଧିକ ଟ୍ରାକ୍ଟର ଲିପ୍ତ ରହୁଛନ୍ତି। ଏଥିରେ ଆଖପାଖ ଅଂଚଳର କିଛି ବ୍ୟକ୍ତି ଏହି କାରବାରରେ ସମ୍ପୃକ୍ତ ରହିଛନ୍ତି। ନିୟମ ହିସାବରେ ଗୋଚର କିମ୍ବା ସରକାରୀ ଜମିରୁ ଅନୁମତି ବିନା ମାଟି ଓ ବାଲି ଉତୋଳନ କରିବା ଆଇନଗତ ଅପରାଧ ଅଟେ। ଖଣି ଓ ପରିବେଶ ସମ୍ବନ୍ଧୀୟ ନିୟମ ଅନୁଯାୟୀ ଏପରି କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଜରିମାନା ସହ କଠୋର କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ରହିଛି। ହେଲେ ଏହି ଘଟଣା ସମ୍ବନ୍ଧରେ ଧାମନଗର ତହସିଲ୍, ଖଣି ବିଭାଗ ଓ ଧାମନଗର ଥାନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହି ଘଟଣାରେ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଏପରି କାର୍ଯ୍ୟରେ ରୋକ ଲଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ