
କେନ୍ଦୁଝର, ୧୯ ଏପ୍ରିଲ୍(ହି.ସ.) – କେନ୍ଦୁଝର ମ୍ୟୁନିସିପାଲିଟି ଅନ୍ତର୍ଗତ ୬ ନମ୍ବର ୱାର୍ଡର ଅସହାୟ ମହିଳା/ଡାଳିମ୍ବ ନାୟକଙ୍କ ସ୍ୱାଭାବିକ ମୃତ୍ୟୁ ନିଜ ଘରେ ଘଟିଥିଲା। କିଛି ବର୍ଷ ପୂର୍ବେ ତାଙ୍କ ଏକମାତ୍ର ପୁତ୍ର ମଧ୍ୟ ମୃତ୍ୟୁବରଣ କରିଥିଲେ। ସ୍ୱାମୀ ତ୍ରିଲୋଚନ ନାୟକ ଶବସତ୍କାର ପାଇଁ ଏକା ପଡିଯିବାରୁ ଭରସା ପରିବାର ଟ୍ରଷ୍ଟକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ସଭାପତି ଲମ୍ବୋଦର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶବକୁ ତାଙ୍କ ଘରୁ କୋକେଇ ଯୋଗେ ଧାଙ୍ଗରପଡାସ୍ଥିତ ଆଦର୍ଶ ଶ୍ମଶାନକୁ ନିଆଯାଇଥିଲା। ସଂଗଠନ ପକ୍ଷରୁ ରକ୍ତଦାତା ସଂଯୋଜକ ସେକ ତହିଦ, ଉପଦେଷ୍ଟା ଦୁର୍ଯ୍ୟୋଧନ ସାହୁ, ଶ୍ମସାନରକ୍ଷକ ସିଦ୍ଧେଶ୍ୱର ନାଏକ, ରିଙ୍କୁ ମହାନ୍ତ, ଗୌତମ ଦାସ, କରଣ ରାୟ, ପ୍ରକାଶ ପାତ୍ର, ରାହୁଲ ବିଶ୍ୱାଳ ଓ ଟୁକୁ ନାଏକ ପ୍ରମୁଖ ଉପସ୍ଥିତ ରହି ବିଧି ମୁତାବକ ଶବସତ୍କାର କରିଥିଲେ। ଶବକୁ ଶ୍ମସାନକୁ ନେବା ପାଇଁ ମହାପ୍ରୟାଣ ଯାନ ପାଇଁ ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରି ବିଫଳ ହେବାପରେ କୋକେଇ ମାଧ୍ୟମରେ ଏକରୁ ଦେଢ଼ କି.ମି. ରାସ୍ତା କାନ୍ଧ ଦେଇ ନେଇଥିଲେ ସଂଗଠନର କର୍ମକର୍ତା। ଏପର୍ଯ୍ୟନ୍ତ ୧୬୮ ଶବସତ୍କାର କରି ସମାଜ ପାଇଁ ଉଦାହରଣ ସାଜିଛି ଭରସା ପରିବାର ଟ୍ରଷ୍ଟ। ଅଲୋଡ଼ା ଶବସତ୍କାର କରି ଆତ୍ମସନ୍ତୋଷ ମିଳେ ବୋଲି ସଂଗଠନର କର୍ମକର୍ତା ମତପ୍ରକାଶ କରିଛନ୍ତି। ସଂଗଠନର ନିଃସ୍ୱାର୍ଥପର ସେବାକାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA