
ନୂଆପଡ଼ା, ୧୯ ଏପ୍ରିଲ୍ (ହି.ସ.)- ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ ଗ୍ରାମୀଣ ପାର୍କ ଯୋଜନା । ପ୍ରତି ପଞ୍ଚାୟରେ ଗ୍ରାମୀଣ ପାର୍କ ନିର୍ମାଣ କରି ବାହାବା ନେଉଛନ୍ତି ରାଜ୍ୟ ସରକାର । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ନିର୍ମାଣଧୀନ ପାର୍କ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି । ନେତା ବି ଚୁପ ପ୍ରଶାସନ ବି ଚୁପ । ଏ ଦୃଶ୍ୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ପଞ୍ଚାୟତରେ ଥିବା ଗ୍ରାମୀଣ ପାର୍କର ଦୃଶ୍ୟ । ଏହି ପାର୍କର ମୁଖ୍ୟ ଗେଟ ଅର୍ଦ୍ଧ ନିର୍ମିତ ହୋଇ ଖୋଲା ରହିଥିବା ବେଳେ ଭିତର ଦୃଶ୍ୟ ଟିକେ ନଜର ପକାନ୍ତୁ । ପାର୍କ ମଧ୍ୟ ଭାଗରେ ଥିବା ଜଳ କୁଣ୍ଡର ମାର୍ବଲ ଭାଙ୍ଗି ଯାଇଥିବା ବେଳେ ପାର୍କ ଭିତରେ ଥିବା ଗଳି ରାସ୍ତା ମଧ୍ୟ ଭାଙ୍ଗି ଗଲାଣି । ଗାର୍ଡେନ ବାଡ଼ରେ ଲାଗିଥିବା ଇଟା ସବୁ ଭାଙ୍ଗି ଚୁରମାର ହେଉଛି । ଷ୍ଟାଣ୍ଡରେ ନା ଅଛି ଝୁଲଣା ନା ଏ ପର୍ଯ୍ୟନ୍ତ ପାର୍କକୁ ହୋଇପାରିଛି ପାଣି ସଂଯୋଗ । ଗୋଟିଏ ପ୍ରକାର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହି ପାର୍କ ଭଙ୍ଗା ଦଦରା ହୋଇ ଗଲାଣି । ଆଉ ଏଠି ମଦୁଆ ମାନେ ଆଡ୍ଡା କରି ସାରିଛନ୍ତି। ପାର୍କ ସାରା କାଚ ବୋତଲ ଓ କାଚ ଟୁକଡା ପଡି ରହିଛି। ପାର୍କ ଉଦଘାଟନ ହୋଇନି ହେଲେ ପାର୍କ ଅବସ୍ଥା କହିଲେ ନ ସରେ । ପୁନଃ ପାର୍କ କାର୍ଯ୍ୟ ନିର୍ମାଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ପାର୍କ ନିର୍ମାଣ ପାଇଁ ୨୦୧୯-୨୦ ରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୩ ଲକ୍ଷ ୮୪ ହଜାର ୨୦୦ ଟଙ୍କା, ୨୦୨୧-୨୨ ରେ ମନରେଗାରୁ ୨୦ ଲକ୍ଷ ୬୫ ହଜାର ୨୭୪ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ ନା ପାର୍କ କାମ ସରୁଛି, ନା ପାର୍କ ଅବସ୍ଥା ଠିକ ଅଛି । ମନମୁଖି ପାର୍କ ନିର୍ମାଣ ଏବଂ ଅବହେଳା ଯୋଗୁଁ ପାର୍କର ଅବସ୍ଥା ଏପରି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କେମିତି ପାର୍କ କାର୍ଯ୍ୟ ସରୁନି । ଗ୍ରାମାଞ୍ଚଳରେ ଗ୍ରାମୀଣ ପାର୍କ ନିର୍ମାଣରେ ହେଉଛି ଖାମଖିଆଲି ଏବଂ ଭୋଜପୁର ଗ୍ରାମୀଣ ପାର୍କର ଭାଗ୍ୟ କେବେ ବଦଳୁଛି ତାହାକୁ ଅପେକ୍ଷା ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ