
ମହିଳା ସଂରକ୍ଷଣ ବିଲ୍ ତିନି ବର୍ଷ ଧରି ଗେଜେଟ ନୋଟିଫିକେସନ ହୋଇନଥିଲା କାହିଁକି?
୨୦୧୧ ଜନଗଣନା ଅନୁସାରେ ଡିଲିମିଟେସନ ହୋଇଥିଲେ ଓଡିଶାର କ୍ଷତି ହୋଇଥାନ୍ତା
ସମସ୍ତଙ୍କୁ ଅନ୍ଧକାରରେ ରଖି ଡିଲିମିଟେସନ ପାଇଁ ହୋଇଥିଲା ଷଡଯନ୍ତ୍ର
୫୦ ପ୍ରତିଶତ ଆସନ ସଂଖ୍ୟା ବୃଦ୍ଧି ନେଇ ହେଉଥିବା ପ୍ରଚାର ବିଲ୍ରେ ଉଲ୍ଲେଖ ଥିଲା କି?
ଭୁୂବନେଶ୍ୱର , 19 ଏପ୍ରିଲ୍ (ହି.ସ.)
ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦେ୍ଦଶ୍ୟ ରଖି କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା ଡିଲିମିଟେସନ ବିଲ୍ କାଟ୍ ଖାଇଲା ବୋଲି ବିଜେଡି କହିଛି । ତିନି ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ସଦନରେ ପାଳିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇସାରିଥିଲେ ମଧ୍ୟ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ କାହିଁକି କରିନଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି ।
ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମା ଓ ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି, ମହିଳା ସଂରକ୍ଷଣ ବାବଦରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ୱ ଲାଗି ସାରା ଦେଶରେ ପ୍ରଥମ ଥର ପାଇଁ ମହିଳାମାନେ ପଞ୍ଚାୟତ ଓ ସ୍ଥାନୀୟ ପୌର ପ୍ରଶାସନରେ ୩୩ ପ୍ରତିଶତ ସଂରକ୍ଷଣ ପାଇପାରିଥିଲେ ।
ଶ୍ରୀ ଦାସବର୍ମା କହିଥିଲେ, ମହିଳା ସଂରକ୍ଷଣ ନାଁରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପରେ, ମାନ୍ୟବର ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଓଡିଶାର ସ୍ୱାର୍ଥ ହାନି ହେଉଥିବା ଅନୁଭବ କରି ଡିଲିମିଟେସନ ବିଲ୍ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଦଳମତ ନିର୍ବିଶେଷରେ ରାଜ୍ୟର ସାଂସଦଙ୍କୁ ପତ୍ର ଲେଖି ଶ୍ରୀ ପଟ୍ଟନାୟକ ଓଡିଶା ସ୍ୱାର୍ଥ ରକ୍ଷା ପାଇଁ ସଂସଦରେ ମୁହଁ ଖୋଲିବାକୁ ଅନୁରୋଧ କରିଥିଲେ । ସଂସଦରେ ବିଲ୍ ଆସିବା ପରେ ଜଣାପଡିଲା ଯେ, ସମସ୍ତଙ୍କୁ ଅନ୍ଧାରରେ ରଖି ମହିଳା ସଂରକ୍ଷଣ ନାଁରେ ଡିଲିମିଟେସନ ବିଲ୍ରେ ଥିବା ପ୍ରାବଧାନ ଓଡିଶାର ସ୍ୱାର୍ଥ କ୍ଷୁର୍ଣ୍ଣ କରିବ । ଭାରତ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ଅନୁପାଳନ କରି ଜନସଂଖ୍ୟା ନିୟନ୍ତ୍ରଣରେ ଓଡିଶା ସଫଳ ହୋଇଥିବାରୁ ୨୦୧୧ ଜନଗଣନା ଅନୁସାରେ ଯଦି ଡିଲିମିଟେସନ ହୋଇଥାଆନ୍ତା ତେବେ ଓଡିଶାର ଆସନ ସଂଖ୍ୟା ଆନୁପାତିକ ଭାବେ ହ୍ରାସ ପାଇଥାଆନ୍ତା । ତେଣୁ ବିଜୁ ଜନତା ଦଳ ଏଭଳି ଏକ ଏକଛତ୍ରବାଦୀ ଓ ଓଡିଶା ସ୍ୱାର୍ଥ ବିରୋଧୀ ଡିଲିମିଟେସନ ବିଲକୁ ବିରୋଧ କଲା ।
ଡ. ମହାନ୍ତି କହିଥିଲେ, ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ୫୦ ଭାଗ ଆସନ ସଂଖ୍ୟା ବୃଦ୍ଧି ବିଷୟ ଯେଉଁ ପ୍ରଚାର କରୁଛନ୍ତି ତାହା ମନଗଢା ତଥା ଭିତ୍ତିହୀନ । ବିଲ୍ରେ ଏଭଳି ବ୍ୟବସ୍ଥା ନାହିଁ । ମହିଳା ସଂରକ୍ଷଣକୁ ଢାଲ କରି ଡିଲିମିଟେସନ ବିଲକୁ ପାରିତ କରିବା ପାଇଁ ହେଉଥିବା ଅପଚେଷ୍ଟା ବିଫଳ ହୋଇଛି । ଦୁଃଖର ବିଷୟ ରାଜ୍ୟ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଓଡିଶା ବିଜେପିର ୨୦ ଜଣ ସାଂସଦ ରାଜ୍ୟ ସ୍ୱାର୍ଥ ବିରୋଧରେ ସଂସଦରେ ଭୋଟ ଦେଲେ । ଆଗାମୀ ଦିନରେ ରାଜ୍ୟବାସୀ ଏହାର ବିଚାର କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା