
ଜୟପୁର, ୧୯ ଏପ୍ରିଲ୍ (ହି.ସ.) - ବରିଷ୍ଠ ନାଗରିକଙ୍କୁ ଠକିବା ପଡ଼ିବ ମହଙ୍ଗା । ଇଛା ମୃତ୍ୟୁ ଆବେଦନ ପରେ ଗମ୍ଭୀରତା କୁ ନେଲା ଜିଲ୍ଲା ପ୍ରଶାସନ ।ଆରମ୍ଭ ହେଲା ତଦନ୍ତ ପହଂଚିଲା ତଦନ୍ତ କରି ଟିମ୍ ।
ବୋରିଗୁମ୍ମା ବ୍ଲକରେ ବରିଷ୍ଠ ନାଗରିକ ତଥା ପୂର୍ବତନ ସରପଂଚଙ୍କ ଠିକା କାମର ପ୍ରାପ୍ୟ ଟଙ୍କା ଅନ୍ୟ ଜଣେ ଠିକାଦରକୁ ପ୍ରଦାନ କରାଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ସତ୍ୟାସତ୍ୟର ତଦନ୍ତ କରିବାରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବୋରିଗୁମ୍ମାରେ ପହଂଚିଛି । କୋରାପୁଟ ଏପିଡି ଗଣେଶ୍ୱର କଅଁରଙ୍କ ନେତୃତ୍ୱରେ ଆସିଥିବା ଦଳ ତଦନ୍ତ କରିଥିଲେ। ବେଣାସୁର ପଂଚାୟତର ବରିଷ୍ଠ ନାଗରିକ ନିରଞ୍ଜନ ତ୍ରିପାଠୀ ୨୦୨୩-୨୪ ଆର୍ôଥକ ବର୍ଷରେ ୫-ଟି ଅଧୀନରେ ମନରେଗା ଯୋଜନାରେ ବାଘଭଦ୍ରା ଉଚ୍ଚବିଦ୍ୟାଳୟର ଉନ୍ନତୀକରଣ କାର୍ଯ୍ୟ କରିଥିଲେ। କାମ ବାବଦକୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଭେଣ୍ଡର ନିକଟକୁ ଟଙ୍କା ଆସିଥିଲା। କିନ୍ତୁ ଉକ୍ତ ଟଙ୍କା ଶ୍ରୀ ତ୍ରିପାଠୀଙ୍କୁ ପ୍ରଦାନ କରାନଯାଇ ଅନ୍ୟ ଜଣେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ମନରେଗାରେ କାମ କରିବା ସତ୍ୱେ ଟଙ୍କା ନ ମିଳିବାରୁ ଗତ ଦିନରେ ଶ୍ରୀ ତ୍ରିପାଠୀ ନିରାଶ ହୋଇ ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାୟକଙ୍କୁ ଭେଟି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ମିଥ୍ୟା ଦସ୍ତଖତ ଓ ପିସି କାରବାରର ତଦନ୍ତ ଦାବି କରିଥିଲେ। ଶୁକ୍ରବାର ତଦନ୍ତକାରୀ ଦଳ ବ୍ଲକ କାର୍ଯ୍ୟାଳୟରେ ପହଂଚି କେଉଁ ଫାଇଲ ଖୋଲା ଯାଇ କାମ କରାଯାଇଛି ତାହାର ଅନୁଧ୍ୟାନ କରିଥିଲେ।
ତଦନ୍ତକାରୀ ଦଳର ନେତୃତ୍ୱ ନେଇଥିବା ଶ୍ରୀ କଅଁରଙ୍କ ସମେତ ବୋରିଗୁମ୍ମା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ, ମନରେଗା କୋଅର୍ଡିନେଟର ସସ୍ମିତା ଦାଶ, ଏଇଇ ବିନୋଦ କିଷାନ, ଏପିଓ ରଜନୀକାନ୍ତ ବେହରା ବାଘଭଦ୍ରା ଉଚ୍ଚ ବିଦ୍ୟାଳୟରେ ପହଂଚି ହୋଇଥିବା ଉନ୍ନତୀକରଣ କାର୍ଯ୍ୟର ତଦାରଖ କରିଥିଲେ। ସାଥୀରେ ଶ୍ରୀ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି କାମର ବିଲ୍ ପାଇଁ ପିସି ଦେଇନପାରିବାରୁ ତାଙ୍କ ଟଙ୍କା ଅନ୍ୟ ଠିକାଦାରଙ୍କୁ ପ୍ରଦାନ କରାଯାଇଥିବା କହିଥିଲେ। ସରକାରୀ ନଥିପତ୍ର ସହ ଅଭିଯୋଗକାରୀଙ୍କ ବୟାନକୁ ଆଧାର କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏପିଡି ଶ୍ରୀ କଅଁର କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି