ଧାମନଗରରେ ନଦୀବନ୍ଧ ସୁରକ୍ଷା ପ୍ରାଚୀର ନିର୍ମାଣ, ନିୟମକୁ ଜଳାଞ୍ଜଳି, ବିନା ରଡ୍ରେ ଚାଲିଛି କଂକ୍ରିଟ କାମ
ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ଜଳସଂପଦ ଉପଖଣ୍ଡ ଅଧୀନରେ ଥିବା ଆନନ୍ଦପୁର ପଂଚାୟତର ମାନଲାପୁର ସ୍ଲୁଇସ ଗେଟ୍ ନିକଟରେ ଚାଲିଥିବା ନଦୀବନ୍ଧ ସୁରକ୍ଷା ପ୍ରାଚୀର ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ବୈତରଣୀ ନଦୀର ପ୍ରଖର ସ୍ରୋତ ଓ ଜଳ ପ୍ରବାହକୁ ପ୍ରତିହତ କରିବା ପାଇଁ ଉ
DHAMNAGAR NADIBANDHA SURAKHYA PRACHIR


ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ଜଳସଂପଦ ଉପଖଣ୍ଡ ଅଧୀନରେ ଥିବା ଆନନ୍ଦପୁର ପଂଚାୟତର ମାନଲାପୁର ସ୍ଲୁଇସ ଗେଟ୍ ନିକଟରେ ଚାଲିଥିବା ନଦୀବନ୍ଧ ସୁରକ୍ଷା ପ୍ରାଚୀର ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ବୈତରଣୀ ନଦୀର ପ୍ରଖର ସ୍ରୋତ ଓ ଜଳ ପ୍ରବାହକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରାଚୀର ଅତ୍ୟନ୍ତ ନିମ୍ନମାନର ଭାବେ ନିର୍ମାଣ କରାଯାଉଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଭାରତୀୟ ମାନକ (ଆଇଏସ କୋଡ୍- ୪୫୬:୨୦୦୦) ଅନୁଯାୟୀ, ନଦୀକୂଳ ଭଳି ସମ୍ବେଦନଶୀଳ ସ୍ଥାନରେ ଯେଉଁଠାରେ ଜଳର ପ୍ରଖର ଚାପ ଥାଏ, ସେଠାରେ ଗ-୩୦ କିମ୍ବା ତା’ଠାରୁ ଅଧିକ ଗ୍ରେଡ୍ର ରିଇନଫୋର୍ସଡ୍ ସିମେଂଟ କଂକ୍ରିଟ ବ୍ୟବହାର କରିବା ଅନିବାର୍ଯ୍ୟ। ଏହି ନିୟମ ଅନୁସାରେ ଉଚ୍ଚମାନର ଲୁହା ରଡ୍ ବ୍ୟବହାର କରି କାନ୍ଥକୁ ଶକ୍ତିଶାଳୀ କରାଯିବା କଥା। କିନ୍ତୁ ମାନଲାପୁରଠାରେ କୌଣସି ଲୁହା ରଡ୍ ବ୍ୟବହାର ନକରି କେବଳ ପ୍ଲେନ୍ କଂକ୍ରିଟରେ ପାଚେରୀ ଠିଆ କରାଯାଉଛି। ଫଳରେ ସାମାନ୍ୟ ବନ୍ୟା ଜଳର ଚାପରେ ଏହି ପାଚେରୀ ଯେକୌଣସି ମୁହୂର୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେଉଥିବା ଏହି କାର୍ଯ୍ୟ ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା ଠିକାଦାର ସାଇଟ୍ରେ ଉପସ୍ଥିତ ରହୁନାହାନ୍ତି। ଶ୍ରମିକମାନେ ନିଜ ମନମୁତାବକ ସିମେଂଟ, ବାଲି ଓ ଚିପ୍ସର ମିଶ୍ରଣ କରୁଛନ୍ତି। ମାନକ ଅନୁଯାୟୀ କଂକ୍ରିଟ୍ ମିଶ୍ରଣ ହେବା ପରିବର୍ତେ ଏଠାରେ ୧ ଭାଗ ସିମେଂଟରେ ୪ ଭାଗ ବାଲି ଓ ୬ ଭାଗ ଚିପ୍ସ ବ୍ୟବହାର କରାଯାଉଛି, ଯାହା କାନ୍ଥର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଉଲ୍ଲେଖଯୋଗ୍ୟ ଯେ, ସ୍ଲୁଇସ୍ ଗେଟ୍ ଅଂଚଳଟି ଏକ ଉପତ୍ୟକା ସଦୃଶ ହୋଇଥିବାରୁ ବୈତରଣୀର ହଜାର ହଜାର ଘନଫୁଟ୍ ପାଣି ଏଠାରେ ଠୁଳ ହୋଇଥାଏ। ଏହି ପ୍ରଖର ଜଳରାଶି ସ୍ଲୁଇସ୍ ଦେଇ ଗାଁ ଭିତରକୁ ପ୍ରବେଶ କରେ। ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ମୂଳଦୁଆ ପାଇଁ ମାଟି ଅତିକମରେ ୩ ଫୁଟ୍ ଖୋଳାଯିବା କଥା। ମାତ୍ର ଠିକାଦାର ମାଟି ନ ଖୋଳି ଉପରେ ଉପରେ ପାଚେରୀ ତିଆରି କରୁଥିବା ଦେଖିବାକୁ ମିଳିଛି।ସୁରକ୍ଷା ପ୍ରାଚୀର ନାମରେ ଏଭଳି ପ୍ରହସନ ବନ୍ଦ କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଯଦି ବନ୍ୟା ପୂର୍ବରୁ ଏହି କାର୍ଯ୍ୟର ସଂସ୍କାର କରାନଯାଏ, ତେବେ ଆଗାମୀ ଦିନରେ ବୈତରଣୀ ବନ୍ୟାରେ ଆନନ୍ଦପୁର ପଂଚାୟତର ବହୁ ଗ୍ରାମ ଜଳମଗ୍ନ ହେବାର ଭୟ ରହିଛି। ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି। ଏ ଦିଗରେ କନିଷ୍ଟ ଯନ୍ତ୍ରୀ ସ୍ୱାଗତ ସାହୁ କହିଛନ୍ତି ଯେ ଏପରି ଅଭିଯୋଗ ର ତଦନ୍ତ କରାଯିବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande