
ସମ୍ବଲପୁର, ୧୯, ଏପ୍ରିଲ୍ (ହି.ସ.) - ଆଜି ରେଙ୍ଗାଲି ଥାନା ପୋଲିସ ଦ୍ୱାରା ପୁରୁଣା ବସ୍ତିର ସୌମ୍ୟ ରଞ୍ଜନ ବିଶ୍ୱାଳ ଓରଫ୍ କୁନୁ ହତ୍ୟା ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପ୍ରମୁଖ ଅଭିଯୁକ୍ତ ପୁରୁଣା ବସ୍ତିର ଚିନ୍ତାମଣି ବାଗ (୪୬) ଏବଂ କନ୍ଧେଇକେଲା ଗ୍ରାମର ପ୍ରତାପ ପାଧାନ (୨୬) । ସୂଚନାଯୋଗ୍ୟ ୨୦୨୬ ଏପ୍ରିଲ ୫ ତାରିଖରେ ଏହି ଜାମବାହାଲ ଛକରେ ଘଟିଥିଲା ଏକ ଚାଂଚଲ୍ୟକର ହତ୍ୟାକାଣ୍ଡ । ଏ ସମ୍ପର୍କରେ ପୋଲିସ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଜୋରଦାର ତନାଘନା କରି ମାତ୍ର ୩ ଦିନ ମଧ୍ୟରେ ତଥା ୨୦୨୬ ଏପ୍ରିଲ ୮ ତାରିଖରେ ୪ ଜଣ ସହ-ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜିର ୨ ଜଣ ଗିରଫ ହେବା ପରେ ଏହି ହତ୍ୟାକାଣ୍ଡ ମାମଲାର ସମସ୍ତ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି ବୋଲି ଥାନା ସୂତ୍ରରୁ କୁହାଯାଇଛି । ଏହି ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତରେ ହସ୍ତଗତ ସୂଚନାନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ପ୍ରତିପକ୍ଷଙ୍କୁ ଟାର୍ଗେଟରେ ରଖିଥିବା ବେଳେ ହଠାତ୍ ଉଭୟ ପକ୍ଷ ମୁହାଁମୁହିଁ ହେବା ପରେ ମରଣାନ୍ତକ ଆକ୍ରମଣର ଶିକାର କୁନୁର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଆଜି ଗିରଫ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଏସଡିଜେଏମ୍ କୋର୍ଟକୁ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ