ଲଖନପୁର ବ୍ଲକ ବିଭାଜନ ଓ ଉପଖଣ୍ଡ ଘୋଷଣା ଦାବିରେ ନାଗରିକ ପରିଷଦର ବୈଠକ
Meeting for devided of Lakhapur block
ଲଖନପୁର ବ୍ଲକ ବିଭାଜନ ଓ ଉପଖଣ୍ଡ ଘୋଷଣା ଦାବିରେ ନାଗରିକ ପରିଷଦର ବୈଠକ


ଝାରସୁଗୁଡ଼ା, ୧୯ ଏପ୍ରିଲ୍ (ହି.ସ.) - ରବିବାର ପୁର୍ବାହ୍ନ ୧୧ ଘଟିକା ସମୟରେ ଲଖନପୁର ବ୍ଲକ ନାଗରିକ ପରିଷଦର ସଭାପତି ପିତାମ୍ବର ମିଶ୍ରଙ୍କ ନେତୃତ୍ୱରେ ସମର ବଗା ପଂଚାୟତ ଅଧୀନସ୍ଥ କୁରେମାଳ ଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘଦିନ ଧରି ରହିଆସୁଥିବା ଜନଦାବି ଲଖନପୁର ବ୍ଲକର ବିଭାଜନ ଏବଂ ଉପଖଣ୍ଡ ଘୋଷଣା ସହ ପ୍ରଦୂଷଣ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ପୂର୍ବତନ ଶିକ୍ଷକ ଦୟାକର ପଧାନଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତ ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟ ସନତ ସିଂ ତାଙ୍କ ମତ ରଖି କହିଥିଲେ ଯେ, ସର୍ବପ୍ରଥମେ ରାଜ୍ୟ ସରକାରଙ୍କୁ ଏକ ବ୍ଲକ ପୁନର୍ଗଠନ କମିଟି ଗଠନ କରି ସମଗ୍ର ରାଜ୍ୟର ବୃହତ ବ୍ଲକଗୁଡିକର ସୀମା ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତି ହୋଇଥିଲା ଯେ, ଆଗାମୀ ଦିନରେ ନାଗରିକ ପରିଷଦର ଏକ ପ୍ରତିନିଧିମଣ୍ଡଳ ମାନ୍ୟବର ସାଂସଦଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗର ସଚିବ ଓ ରାଜସ୍ୱ ଏବଂ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟିବେ। ସେଠାରେ ଲଖନପୁରକୁ ତିନୋଟି ବ୍ଲକରେ ବିଭାଜନ କରିବା ସହିତ ଏହାକୁ ଉପଖଣ୍ଡ ଘୋଷଣା କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande