
ଝାରସୁଗୁଡ଼ା, ୧୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ବୃନ୍ଦାବନ କଲୋନୀ ବାସିନ୍ଦାଙ୍କ ସୁରକ୍ଷା ତଥା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ମୋଟର ଯାନ ଆଇନ ୧୯୮୮ ର ଧାରା ୧୧୫ ଅନୁଯାୟୀ ଏହି ଅଞ୍ଚଳରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ବୃନ୍ଦାବନ କଲୋନୀର ସଂକୀର୍ଣ୍ଣ ରାସ୍ତା ଯୋଗୁଁ ପ୍ରତିଦିନ ସୃଷ୍ଟି ହେଉଥିବା ଟ୍ରାଫିକ ଜାମ ଏବଂ ଦୁର୍ଘଟଣା ଭୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ସ୍କୁଲ ଯାଉଥିବା ପିଲା, ବରିଷ୍ଠ ନାଗରିକ ଏବଂ ନିକଟସ୍ଥ କୁଷ୍ଠାଶ୍ରମର ଅନ୍ତେବାସୀମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ ଦୁର୍ଘଟଣାକୁ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଏପ୍ରିଲ ୩୦, ୨୦୨୬ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଭାରୀ, ମଧ୍ୟମ ଏବଂ ବ୍ୟବସାୟିକ ଯାତ୍ରୀବାହୀ ଯାନ (୯ ଜଣରୁ ଅଧିକ ସିଟ୍ ବିଶିଷ୍ଟ) ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ଏହା ସହିତ ଲୋଡେଡ୍ କିମ୍ବା ଅନଲୋଡେଡ୍ ସାମଗ୍ରୀ ପରିବହନ କରୁଥିବା ଗାଡ଼ି, ଟ୍ରାକ୍ଟର ଏବଂ ୭୫୦୦ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ରୋଡ୍ ରୋଲର ଗୁଡ଼ିକ ଉପରେ ମଧ୍ୟ କଟକଣା ଲଗାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ