
ନୂଆପଡ଼ା, ୧୯ ଏପ୍ରିଲ (ହି.ସ.)- ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବସୁଧା ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ଅନେକ ଗ୍ରାମରେ ଏହି ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ଗ୍ରାମ। ଗ୍ରାମରେ ୫୧୨ ପରିବାରର ତିନି ହଜାର ଲୋକ ବାସ କରନ୍ତି। ଗ୍ରାମର ଉପର ପଡ଼ାରେ ପ୍ରାୟ ପଚାଶ ପରିବାର ରହନ୍ତି। ଉପର ପଡ଼ାବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମକୁ ଚାରି ବର୍ଷ ତଳୁ ପାଇପ ଯୋଗେ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି କିନ୍ତୁ ସମ୍ପୂର୍ଣ ବସ୍ତିକୁ ସପ୍ତାହକୁ ଦିନେ ଦୁଇ ଦିନ ପାଣି ଆସୁଥିବା ବେଳେ ଉପର ପଡ଼ାକୁ ପନ୍ଦର ଦିନରେ ଥରେ ପାଣି ଆସୁଥିବା ଅଭିଯୋଗ ହେଉଛି। ଗ୍ରାମରେ ମୋଟ ସାତଟି ନଳକୂପ ଥିବାବେଳେ ଉପର ପଡ଼ାରେ ଗୋଟିଏ ମାତ୍ର ନଳକୂପ ଅଛି। ସେହି ନଳକୂପ ନାମକୁ ରହିଛି, ତହିଁରୁ ବହୁତ୍ କମ୍ ପାଣି ବାହାରିଥାଏ। ଆଉ ଏକ ନଳକୂପରେ ପାହାନ୍ତିଆରୁ ମହିଳା ମାନେ ଭିଡ ଜମାଇଥାନ୍ତି। କିନ୍ତୁ ଆବଶ୍ୟକତା ପୂରଣ ହୁଏ ନାହିଁ। ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଏହି ପଡ଼ାକୁ ସବୁଦିନ ପାଣି ନ ଯୋଗାଇବା ଦୁଃଖର ବିଷୟ ବୋଲି ଉପର ପଡ଼ା ବାସୀ କହିଛନ୍ତି। ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ସରକାର ହର ଘର ନଲ ବୋଲି ଘୋଷଣା ମଧ୍ୟ କରି ଆସୁଛନ୍ତି। କିନ୍ତୁ ଅଦ୍ୟାବଧି ଅନେକ ଗ୍ରାମକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ସୁନାରିସିକୁଆଁ ତାହାର ନିଛକ ଉଦାହରଣ। ଚାରିବର୍ଷ ତଳୁ ପାଇପ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ହୋଇଥିବା ବେଳେ କାହିଁକି ନିୟମିତ ପାଣି ଯୋଗାଇ ଦିଆଯାଉନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଉପରପଡ଼ାକୁ ପାଣି ଯୋଗାଣ ବ୍ୟବସ୍ଥା ଫେଲ ମାରିବା ଚିନ୍ତାଜନକ ବିଷୟ ମଧ୍ୟ।
ଏନେଇ ଖଡ଼ିଆଳ ବିଡ଼ିଓ ମିଳନ ଝାଙ୍କରଙ୍କୁ ପଚାରିବାରୁ ଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ