
ଜୟପୁର, ୨ ଅପ୍ରେଲ (ହି.ସ.)- କେନ୍ଦ୍ର ସରକାର ଶ୍ରମ ଆଇନ ବାତିଲ୍ କରି ଯେଉଁ ଚାରୋଟି ଶ୍ରମ କୋଡ଼ ଆଣିଛନ୍ତି ତା'ର ବିରୁଦ୍ଧରେ ଶ୍ରମିକ ସଂଘ ମାନେ ଦେଶ ବ୍ୟାପି କଳା ଦିବସ ପାଳନ କରିବା ସହ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଜୟପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏଆଇଟିୟୁସି କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଅଫିସ ମାଧ୍ୟମରେ ପ୍ରଦାନ କରାଯାଇଛି l ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଳା ଶ୍ରମ କୋଡ଼ କୁ ବାତିଲ୍ କରି ଦୀର୍ଘ ଶ୍ରମ ଆଇନକୁ ବାହାଲ କରାଇବା ପାଇଁ ରାଷ୍ଟ୍ରପତି ମହୋଦୟା କେନ୍ଦ୍ର ସରକାରକୁ ନିର୍ଦେଶ ଦିଅନ୍ତୁ ଏବଂ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଜାତୀୟ ଶ୍ରମ ସମ୍ମିଳନୀକୁ ବନ୍ଦ କରିଦିଆଯାଇଛି ସେହି ଶ୍ରମ ସମ୍ମିଳନୀକୁ ଆୟୋଜନ କରି ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବାରେ ପଦକ୍ଷେପ ନିଆଯାଉ l କେନ୍ଦ୍ର ସରକାର ଟ୍ରେଡ଼ ୟୁନିଅନ ଆଇନ ୧୯୨୬ ଏବଂ ୟୁନିଅନ ଗଠନ କରିବାର ସାମ୍ବିଧାନିକ ଅଧିକାରକୁ ଧ୍ୱସ୍ତ କରଛନ୍ତି l ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଠିର ରାଉଳ, ବସନ୍ତ ବେହେରା, ରାମକୃଷ୍ଣ ଦାସ, ନନ୍ଦ ହରିଜନ, ଭାସ୍କର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି