
ଝାରସୁଗୁଡ଼ା, ୨ ଅପ୍ରେଲ (ହି.ସ.)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ପାଳିତ ହେଉଥିବା ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆମ ପୋଷାକ ଆମ ପରିଚୟ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଓଡ଼ିଆ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି ଓଡ଼ିଆ ଅସ୍ମିତା ଓ ଐତିହ୍ୟର ଏକ ଅନନ୍ୟ ଝଲକ ପ୍ରଦର୍ଶିତ କରିଥିଲେ।
ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ସରକାରୀ କର୍ମଚାରୀ ଓଡ଼ିଆ ସଂସ୍କୃତିର ପ୍ରତୀକ ସ୍ୱରୂପ ହସ୍ତତନ୍ତ ବସ୍ତ୍ରରେ ସଜ୍ଜିତ ହୋଇ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଐତିହ୍ୟ ଏବଂ କଳାତ୍ମକ ବୈଭବକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା। ଏହା ସହିତ ସ୍ଥାନୀୟ ବୁଣାକାର ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଓଡ଼ିଆ ପୋଷାକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ପ୍ରୟାସ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କିଶୋର ଚନ୍ଦ୍ର ସ୍ୱାଇଁ, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ସହକାରୀ ବୟନଶିଳ୍ପ ନିର୍ଦ୍ଦେଶିକା ମୋନାଲିସା ପଟେଲ, ଝାରସୁଗୁଡା ତହସିଲଦାର ସଦାକାର କୁମ୍ଭାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ