
କେନ୍ଦୁଝର, ୦୨ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ଅନ୍ତର୍ଗତ ବଡ଼ ପାଟଣା ପଂଚାୟତ ଅଧିନର ଆଖପାଖ ଅଂଚଳରେ ଆଜି ମଦ ବନ୍ଦ ଦାବିରେ ମହିଳାମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଡପାଟଣା, ସଁରାପଶି ଟାଇଁସିରା, ଟାଙ୍ଗରପଡା ଓ ମାଧପୁର ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ପାଟଣା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ବିକ୍ଷୋଭ ସମୟରେ ମହିଳାମାନେ ଗ୍ରାମଗୁଡିକରେ ବୃଦ୍ଧି ପାଉଥିବା ଅବୈଧ ମଦ ବିକ୍ରି ଓ ସେଥିରୁ ସୃଷ୍ଟ ହେଉଥିବା ସାମାଜିକ ସମସ୍ୟା ନେଇ ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ମଦ ସେବନ ଫଳରେ ପରିବାରରେ କଳହ, ଆର୍ôଥକ ସମସ୍ୟା ଓ ନାରୀ ଉପରେ ଅତ୍ୟାଚାର ବଢ଼ୁଛି। ପରେ ମହିଳାମାନେ ଅବକାରୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହି ଅଂଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧ ଲାଗୁ କରିବାକୁ ଦାବି କରିଥିଲେ। ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଉ ନଥିବେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରିଥିଲେ।
ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅବକାରୀ ବିଭାଗର ଥାନା ସାଂସଦଙ୍କ ପ୍ରତିନିଧି ମଧୁସୁଧନ ମହାନ୍ତ ମହିଳା ମାନଙ୍କ ସହ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ,ଏନେଇ ଅବକାରୀ ବିଭାଗ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA