
ଝାରସୁଗୁଡ଼ା, ୨ ଅପ୍ରେଲ (ହି.ସ.)- ଜିଲ୍ଲାରେ ଆଗାମୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଓଏସଡିଏମଏ ର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ.ଏଫ୍ ସଭାଗୃହ ଠାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ କିଭଳି କମ୍ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ ଏବଂ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବର ଏହି ବୈଠକର ଆବାହକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଅଗ୍ନିଶମ ବିଭାଗର ଅଧିକାରୀ ଦୈନନ୍ଦିନ ଜୀବନରେ ଘଟୁଥିବା ଅଗ୍ନିକାଣ୍ଡକୁ କିଭଳି ରୋକାଯାଇପାରିବ ଓ ନିଆଁକୁ ଆୟତ୍ତ କରାଯାଇପାରିବ, ସେ ସମ୍ପର୍କରେ ଡେମୋ ପ୍ରଦାନ କରିଥିଲେ। ସେହିଭଳି ଜଙ୍ଗଲ ବିଭାଗର ପ୍ରତିନିଧି ଜଙ୍ଗଲ ନିଆଁର ନିରାକରଣ ଓ ଏହାର ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବିଶେଷଜ୍ଞ, ମାନବ ଶରୀର ଉପରେ ଗ୍ରୀଷ୍ମ ପ୍ରବାହର କୁପ୍ରଭାବ, ଅଂଶୁଘାତର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଅବଲମ୍ବନ କରାଯାଉଥିବା ସତର୍କତାମୂଳକ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ପ୍ରଚଣ୍ଡ ଖରାରୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ଅବସରରେ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ଜିଲ୍ଲା ତଥା ବ୍ଲକ ଓ ତହସିଲ ସ୍ତରର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଗାମୀ ଦିନରେ ପ୍ରସ୍ତୁତ ରହିବା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ