
ପୁରୀ, ୦୨ ଏପ୍ରିଲ୍ (ହି.ସ.) - ସର୍ବଭାରତୀୟ ଶ୍ରମିକ ସଂଗଠନ ଏ ଆଇ ଟି ୟୁ ସି. ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ତରଫରୁ ୧୨ଦଫା ଦାବୀ ନେଇ ଏପ୍ରିଲ ୨ତାରିଖରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଶ୍ରମିକ ବିରୋଧୀ କେନ୍ଦ୍ର ସରକାରଙ୍କ ୪ଟି ଶ୍ରମ କୋଡ଼କୁ ବାତିଲ କରିବା, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମାସିକ ସର୍ବନିମ୍ନ ଛବିଶି ହଜାର ଟଙ୍କା ଲେଖାଏଁ ଭତା ଦେବା, ଅବସର କାଳୀନ ସହାୟତା ତୁରନ୍ତ ପ୍ରଦାନ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ବୈଠକ ପାଇଁ ଭତା ଦେବା, ସତ୍ୟବାଦୀ ବ୍ଲକର ବାଘସାହି ଓ ଗୋପ ବ୍ଲକର ତାଳକପା କର୍ମୀଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବାତିଲ କରିବା ପ୍ରଭୃତି ୧୨ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ସଂଘର ଶହ ଶହ କର୍ମୀ ଓ ସହାୟିକା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛକରୁ ଏକ ବିଶାଳ ପଟୁଆରରେ ବାହାରି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଥିଲେ। ପ୍ରତିବାଦ ସଭାରେ କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ଜିଲ୍ଲା ନେତା ଲକ୍ଷ୍ମୀପ୍ରିୟା ମହାପାତ୍ର, ସ୍ୱର୍ଣ୍ଣଲତା ପ୍ରଧାନ, ମାନସୀ ପ୍ରଧାନ, ଅହଲ୍ୟା କାଣ୍ଡି, କବିତା ବିଶ୍ୱାଳ, ସସ୍ମିତା ଶତପଥୀ, ରୋଜାଲିନ ମିଶ୍ର, ଜୟନ୍ତୀ ମଲ୍ଲିକ, ଏ ଆଇ ଟି ୟୁ ସି ର ଶ୍ରମିକ ନେତା ବ୍ରଜବନ୍ଧୁ ପ୍ରଧାନ, ମନୋରଞ୍ଜନ ପରିଡା, ହରିହର ସେନାପତି, ବନମାଳୀ ସାହୁ ପ୍ରମୁଖ କର୍ମିସଂଘର ଦାବୀ ତୁରନ୍ତ ପୂରଣ ପାଇଁ ଦାବି କରିଥିଲେ।୧୨ ଦଫା ସମ୍ବଳିତ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା
ହିନ୍ଦୁସ୍ଥାନ ସମାଚାର / ବିଜୟ