
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ ସ୍ୱରୂପ ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡଃ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର କମିଟି ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନର ନାମ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀରେ ଲେଖାହେବା ନିମନ୍ତେ ଯେଉଁ ସୁପାରିଶ ପ୍ରଦାନ କରିଛନ୍ତି, ଏହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ଥିଲା। ବର୍ତମାନର ସରକାର ଏଥି ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରାଯିବାରୁ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରଗତିଶୀଳ ଅନୁଷ୍ଠାନ ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମା ତା’ର ପ୍ରଶଂସା କରିବା ସହିତ ଏକ ପ୍ରେସ୍ ବିବୃତିରେ କହିଛନ୍ତି କି ଏହା ଏକ ସମୟପୋଯୋଗୀ ଓ ଭାବାବେଗର ବିଷୟ। ଓଡ଼ିଆ ଲୋକମାନେ ବିଭିନ୍ନ ସମୟରେ ଅଣଓଡ଼ିଆ ଲୋକଙ୍କ ଦ୍ୱାରା ନିଜ ଅଂଚଳରେ ହେଉଥିବା ଭୁଲ ଉଚ୍ଚାରଣ ଦ୍ୱାରା ଅପମାନିତ ହେଉଥିଲେ। ଏଣୁ ଏଥିରୁ ଏବେ ନିସ୍ତାର ମିଳିବ। ରାଜ୍ୟର ସମସ୍ତ ଗୌରବାନ୍ୱିତ ଓଡ଼ିଆ ପ୍ରେମୀ ଏଥିରେ ସାମିଲ ହେବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି। ବିବୃତିରେ ଶ୍ରୀ ଶର୍ମା ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ଓଡ଼ିଶାରେ ଅବସ୍ଥାପିତ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଇଂରାଜୀ ବନାନ ମଧ୍ୟ ଓରିିଶା ପରିବେର୍ତ ଓଡ଼ିଶା ଲେଖାଯାଉ। ଏହା ସଂସଦର ହସ୍ତକ୍ଷେପ ମାଧ୍ୟମରେ ହିଁ ସମ୍ଭବ। ଏଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିଶେଷ ଅନୁରୋଧ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା