
ମୁଖୀଗୁଡା,୨୩ ଏପ୍ରିଲ (ହି .ସ) - ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ହୋଇଥିବା ଏକାଧିକ ରାସ୍ତା କାମ ନିମ୍ନମାନର ହୋଇଥୁବା ଅଭିଯୋଗ ହେଉଛି। କିଛି ରାସ୍ତା ନିର୍ମାଣର ୨ ମାସ ନପୂରୁଣୁ ପିଚୁଛାଡି ଶୋଚନୀୟ ଅବସ୍ଥାକୁ ଚାଲି ଯାଉଥିବା ବେଳେ ରାସ୍ତା ସମ୍ପୁର୍ଣ୍ଣ କାମ ନକରି ପୁରା ବିଳ ଉଠାଇ ଠିକାଦାର ମାଳେ ମାଳ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀଙ୍କ ଦାଇତ୍ୱ ହୀନତା ଯୋଗୁଁ ସରକାରୀ ଅନୁଦାନ ଠିକ ସମୟରେ ଠିକ କାମରେ ଲାଗିପାରୁ ନଥିବାରୁ ଗମନାଗମନ ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅଭିଯୋଗ ଅନୁସାରେ ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଂଚାୟତ କୁଇସମାଳ ଛକରୁ ଉଛୁଳାକୁ ସଂଯୋଗ କରୁଥିବା ରାସ୍ତାରେ ଗତ ମାର୍ଚ୍ଚ ପୂର୍ବରୁ ପିଚୁ କାମ ହୋଇଥିଲା ଯାହା ଉଛୁଳା ପର୍ଯ୍ୟନ୍ତ ୨୬ଶହ ମିଟର କାମ ହେବାକଥା କିନ୍ତୁ ଏହି ରାସ୍ତାରେ ୧୮ ଶହ ମିଟର ନିମ୍ନମାନର କାମ କରି ଠିକାସଂସ୍ଥା ସମ୍ପୂର୍ଣ ବିଳ ହାତେଇଥିବା ବେଳେ ଉଛୁଳା ରଣାପଡାରୁ ଖଇରଭାଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏଷ୍ଟିମେଟ ଅନୁଯାଇ ପୁରା କାମ ନକରି ମାତ୍ର ଦେଢ଼ଶହ ମିଟର କାମ କରି ସମ୍ପୂର୍ଣ ବିଳ ହାତେଇ ନେଇଥିବା ଅଭିଯୋଗ ହେଉଛି । ଠିକ ସେହିପରି ବଡ଼ପୂଝାରୀଗୁଡାରୁ ଘଂଟିଗୁଡା ରାସ୍ତାରେ ମଧ୍ୟ ହୋଇଥିବା ପିଚୁକାମ ଦୁଇମାସ ନପୂରୁଣୁ ପିଚୁ ଉଠିଲାଣି , ଖଇରଭାଡିରୁ ଲଡ଼ୁଗାଁକୁ ସଂଯୋଗ କରୁଥିବା କମଲ ନଦୀରେ ନିର୍ମାଣଧୀନ ପୋଲର ଗାଡୱାଲ ନିର୍ମାଣ ନିମ୍ନ ମାନର ହେବା ସହ ଅଙ୍କା ବଙ୍କା ହେଉଥିବା ଓ ମାଟି କଂପାକ୍ସନ ଠିକ ନଥିବାରୁ ବର୍ଷା ଦିନେ ଅନେକ ସମସ୍ୟା ଦେଖାଦେବ ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷେ ଦାଇତ୍ୱରେ ଥିବା ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମ ହେଉ ଥିବାରୁ ଠିକା ସଂସ୍ଥା ମନଇଛା ନିମ୍ନମାନର କାମ କରି ଲୁଟପାଟ ଚଳେଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଟ ଯନ୍ତ୍ରୀ ତରୁଣ କୁମାର ନାଏକଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ ସେ ଫୋନ ଉଠାଇନଥିଲେ । ଏ ଦିଗରେ ବିଭଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର