ଜନ ଗଣନାକୁ ବିରୋଧ କଲେ କୁଲାବେଡା ଗାଁ ଲୋକେ
ଜୟପୁର, ୨୩ ଏପ୍ରିଲ୍ (ହି.ସ.)- ଆରମ୍ଭ ହୋଇଛି ଜନ ଗଣନା-୨୦୨୭ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ l ଏହି ପରିପେକ୍ଷୀରେ ଜନ ଗଣନା ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଜିଲ୍ଲାର ସୀମାନ୍ତ ଅଂଚଳ ବାସୀ ସହଯୋଗ କରୁନଥିବା ଅଭିଯୋଗ ପରେ ଆଜି ନିଜେ ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାୟକ ସୀମାନ୍ତ ଅଂଚଳ ଗାଁ ରେ ପହଂ
ଜନ ଗଣନାକୁ ବିରୋଧ କଲେ କୁଲାବେଡା ଗାଁ ଲୋକେ


ଜୟପୁର, ୨୩ ଏପ୍ରିଲ୍ (ହି.ସ.)- ଆରମ୍ଭ ହୋଇଛି ଜନ ଗଣନା-୨୦୨୭ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ l ଏହି ପରିପେକ୍ଷୀରେ ଜନ ଗଣନା ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଜିଲ୍ଲାର ସୀମାନ୍ତ ଅଂଚଳ ବାସୀ ସହଯୋଗ କରୁନଥିବା ଅଭିଯୋଗ ପରେ ଆଜି ନିଜେ ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାୟକ ସୀମାନ୍ତ ଅଂଚଳ ଗାଁ ରେ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି l

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଂଚଳ କୁଲାବେଡା ଗାଁ ଟି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତ ଅଧିନରେ ଅବସ୍ଥିତ l ହେଲେ ଏହି କୁଲାବେଡା ଗାଁ ଲୋକେ ଜନ ଗଣନା ଦାୟିତ୍ୱରେ ଥିବା ଚିପାକୁର ହାଇସ୍କୁଲର ଶିକ୍ଷକଙ୍କୁ ସହଯୋଗ କରିନଥିଲେ l ଏନେଇ ଶିକ୍ଷକ ସ୍ଥାନୀୟ ତହସିଲଦାର ସିଂଗ୍ଧା ଚୌଧୁରୀଙ୍କୁ ଜଣାଇବା ପରେ ଉପଜିଲ୍ଲାପାଳଙ୍କ ନଜକୁ ଅଣାଗଲା l ସୂଚନା ପାଇ ଆଜି ଜୟପୁର ଉପଜିଲ୍ଲାପାଳ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଂଚଳ କୁଲାବେଡା ଗାଁରେ ପହଂଚି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ l ଜନ ଗଣନା-୨୦୨୭ କାର୍ଯ୍ୟକ୍ରମରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l

ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, କୁଲାବେଡା ଗାଁ ଟି ୨ ଜିଲ୍ଲା ସୀମାନ୍ତରେ ଅବସ୍ଥିତ l ଅଧିକାଂଶ ପରିବାର ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସରକାରୀ ସୁବିଧା ପାଉଛନ୍ତି କିନ୍ତୁ ସେମାନଙ୍କ ଜମିବାଡ଼ି ପଟ୍ଟା କୋରାପୁଟ ଜିଲ୍ଲାରେ ରହିଛି l ଦୀର୍ଘ ଦିନରୁ କୁଲାବେଡାରେ କୋରାପୁଟ ପ୍ରଶାସନ ତରଫରୁ ମେଡିକାଲ, ସ୍କୁଲ ଭଳି ବିଭିନ୍ନ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଦାବୀ ରହିଛି l କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବାରୁ ଏଭଳି ଜନଗଣନାକୁ କୁଲାବେଡା ଗାଁ ଲୋକେ ବିରୋଧ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande