
ପୁରୀ, ୨୪ ଏପ୍ରିଲ୍ (ହି.ସ.)- ଆଜି ରଥ ନିର୍ମାଣର ଚତୁର୍ଥ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ୮ଟା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ତୃତୀୟ ଦିନର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥଚାଳିକୁ କରତୀ ସେବକ ଯୋଗାଇଥିବା ମୋଟ୍ ୨୧ ଗୋଟି ତୁମ୍ବ ଗଡରୁ ତିନି ରଥର ମହାରଣା ସେବକମାନେ ୧୦ଟି ତୁମ୍ବ ର ଗୋଲେଲ କାର୍ଯ୍ୟ ଶେଷ କରିଥିଲେ |ଆଜିର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ୍ ୨୬ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହୋଇଛି | ଆଜିର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ଦେବଦଳନ ରଥ ଏବଂ ନନ୍ଦିଘୋଷ ରଥର ମହାରଣା ମାନେ ୮ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଥିବା ବେଳେ ତାଳଧ୍ୱଜ ରଥର ମହାରଣା ସେବକ ମାନେ ୧୦ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି| ତିନି ରଥର ୪୨ ଗୋଟି ଚକ ପାଇଁ ୪୨ଟି ତୁମ୍ବ ର ଆବଶ୍ୟକତା ଥିବାବେଳେ କରତୀ ସେବକ ମାନେ ଆଜି ସୁଦ୍ଧା ସମସ୍ତ ୪୨ ଗୋଟି ତୁମ୍ବ ଗଡ କରି ତିନିରଥ ଚାଳିକୁ ଯୋଗାଇ ଦେଇଛନ୍ତି। ଆଜି ସୁଦ୍ଧା ତାଳଧ୍ଵଜ ରଥ ମୋଟ ୧୪ ଗୋଟି ଚକ ପାଇଁ ଆବଶ୍ୟକ ୧୪ ଗୋଟି ଗଡ ତୁମ୍ବ ରୁ ୧୦ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ କରି ବାକି ୪ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ଜାରି ରହିଛି। ସେହିପରି ଦେବଦଳନ ରଥ ର ମୋଟ ୧୨ ଗୋଟି ଚକ ପାଇଁ ଯୋଗାଇ ଦିଆ ଯାଇଥିବା ୧୨ ଗୋଟି ତୁମ୍ୱ ମଧ୍ୟରୁ ୮ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ କରି ବାକି ୪ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଦେବଦଳନ ରଥର ମହାରଣା ସେବକ ମାନେ ଜାରି ରଖିଛନ୍ତି। ନନ୍ଦିଘୋଷ ରଥର ମୋଟ୍ ୧୬ ଗୋଟି ଚକ ପାଇଁ ଯୋଗାଇ ଦିଆଯାଇଥିବା ସମସ୍ତ ୧୬ ଗୋଟି ଗଡ ତୁମ୍ବ ମଧ୍ୟରୁ ୮ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇ ବାକି ୮ ଗୋଟି ତୁମ୍ବ ଗଡ ଗୁଡ଼ିକର ଗୋଲେଇ କାର୍ଯ୍ୟ ନନ୍ଦିଘୋଷ ରଥ ମହାରଣା ସେବକ ମାନେ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ କାର୍ଯ୍ୟରତ ତିନିରଥ ଓଝା କମାର ସେବକ ତିନି ରଥର ମୋଟ୍ ୪୨ ଗୋଟି ଚକ ପାଇଁ ଅର କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ଆଜିର କାର୍ଯ୍ୟ ଶେଷ ବେଳକୁ ଗୋଟିଏ ଗୋଟିଏ ଚକ ପାଇଁ ଆବଶ୍ୟକ ୬/୭ ଇଞ୍ଚିଆ ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅରକଣ୍ଟା ନିର୍ମାଣ ପାଇଁ ଜି.ଆଇ ଲୁହା ରଡ଼ ମାପ ପ୍ରକାରେ କଟିଂ କରି କରାଯାଇଛି ।
ରଥଖଳାରେ ତିନିରଥ ମହାରଣା ସେବକ - ୩୭, ତିନିରଥ କରତୀ ସେବକ - ୪, ତିନିରଥ କମାର ସେବକ -୬, ତିନିରଥ ଭୋଇ ସେବକ - ୧୯, ରଥଖଳା ସହାୟକ(ପାଣି ବାଲା)୧ ଏପରି ମୋଟ - ୬୭ ଜଣ କାର୍ଯ୍ୟରତ ଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ