
ଖୋର୍ଦ୍ଧା, ୨୪ ଏପ୍ରିଲ୍ (ହି.ସ.) - ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବେଲପଡ଼ା ଓ ଗଙ୍ଗପଡ଼ା ଅଂଚଳରେ ଚଢ଼ଉ କରାଯାଇ ଦୁଇ ଗୋଟି କାର୍ ସମେତ ୮୦ କେଜି ଗଞ୍ଜେଇ ଜବତ କରାଯାଇଛି। ପ୍ରଥମେ ବେଲପଡ଼ା ହାଇସ୍କୁଲ୍ ସାମ୍ନାରେ ଏକ କାର୍ରେ(ଓଡି ୩୩ଏପି-୨୦୮୧) ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା। କାର୍ରୁ ୪୪ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ବାବୁନ କୁମାର ବର୍ଗତୀ ଓ ଅଶୋକ ବର୍ଗତୀ ନାମକ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେହିପରି ଗଙ୍ଗପଡ଼ା ନିକଟରେ ଆଉ ଏକ କାର (ଓଡି ୦୨ଡିଇ-୯୭୧୫) ଯୋଗେ ପ୍ରତୀକ କୁମାର ଜାନି ଓ ବରୁଣ ବର୍ଗତୀ ୩୬ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ଧରପଗଡ଼ କରିଥିଲା। ଗିରଫ ଚାରି ଅଭିଯୁକ୍ତଙ୍କର ଘର ଫୁଲବାଣୀ ଅଂଚଳରେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ, ଓଆଇସି ସୁଜିତ୍ କୁମାର ମୁଦୁଲିଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ