
ଜୟପୁର, ୨୪ ଏପ୍ରିଲ୍ (ହି.ସ.)- ସ୍କୁଟିକୁ ଧକ୍କା ଦେଲା ବାଇକ ଫଳରେ ସ୍ଲୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଧଡ୍ରୀଗୁଡା ଗ୍ରାମର ବାବୁ ରାମ ବିଷୋୟୀ (୧୭) ।ସୂଚନା ଅନୁଯାୟୀ, ଆଜି ଜୟପୁର ସଦର ଥାନାରେ ଧଡ୍ରୀଗୁଡା ଗ୍ରାମର ଶ୍ୟାମ ସୁନ୍ଦର ବିଷୋୟୀ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ୨୨ ତାରିଖରେ ତାଙ୍କ ପୁଅ ବାବୁ ରାମ ବିଷୋଈ ସ୍ଲୁଟି ଗାଡି ଯୋଗେ କୁସମି ଗାଁକୁ ଯାଉଥିଲେ । ଜୟପୁର ସଦର ଥାନା ଅନ୍ତର୍ଗତ ଷ୍ଟେସନ କଙ୍ଗା ଠାରେ ହରଡାପୁଟ ରାସ୍ତାର ବାମ ପଟେ ସ୍କୁଟି ଗାଡି ରଖି ଏବଂ ଗାଡି ଉପରେ ବସି ରହି ଫୋନ ଯୋଗେ କଥା ହେଉଥିବା ସମୟରେ ଗୋଟିଏ ବାଇକ ବିପରିତ ଦିଗରୁ ବେପରୁଆ ଭାବେ ଗାଡି ଚାଳନା କରି ଶକ୍ତ ଧକ୍କା ଦେଇଥିଲା । ଯଦ୍ୱାରା ପୁଅ ବାବୁ ରାମଙ୍କ ବାମ ଗୋଡ ଭାଙ୍ଗିବା ସହ ଅନ୍ୟ ଅଙ୍ଗ ଗୁଡିକରେ ମଧ୍ୟ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ରାବଣାଗୁଡା ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏହାପରେ ଉତ୍ତମ ଚିକିତ୍ସା ନିମନ୍ତେ ଘରୋଇ ହସପିଟାଲେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ବାବୁ ରାମଙ୍କ ମୃତ୍ୟୁ ହୋଇଛି । ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି