


ମାଲକାନଗିରି, ୨୪ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଇଣ୍ଡିଆନ ରେଡକ୍ରସ ସୋସାଇଟି ନାମକୁ ବ୍ୟବହାର କରି ଅବୈଧ ଧନ ସଂଗ୍ରହ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହେଉଛି । ଇଷ୍ଟ ଇଣ୍ଡିଆ କନଷ୍ଟ୍ରକ୍ସନ, ଭୁବନେଶ୍ୱର ନାମକ ଏକ ସଂସ୍ଥା ବାଇକ ଓ ଚାରିଚକିଆ ଚାଳକମାନଙ୍କ ପାଖରୁ ଟଙ୍କା ଗ୍ରହଣ କରୁଥିବା ଜଣାପଡିଛି ।
ଏକ କଳାରଙ୍ଗର କାର୍ ନଂ ଓଡ଼ି୦୨ବିୟୁ ୯୭୪୭ ରେ ୪ ଜଣ ବ୍ୟକ୍ତି ଟିମ୍ ଲିଡର ଚକ୍ରଧର ମହାରଣାଙ୍କ ସହ ଆସି ମାଥିଲି ଠାରୁ ୪ କି.ମି. ଦୂରରେ ଲୋକଙ୍କୁ ଅଟକାଇ ସୁରକ୍ଷିତ ମୋଟରଗାଡ଼ି ଚଳାଇବା ବାର୍ତ୍ତା ଦେବାସହ ପ୍ଲାଷ୍ଟିକ ଫୁଲ ଦେଉଥିବା ଦେଖିବାକୁ ମିଳିଛି l
ସେମାନଙ୍କ ଠାରେ ଅନେକ ବେନାମୀ ରସିଦ ଥିବା ମଧ୍ୟ ଦେଖିବାକୁ ମିଳିଛି l
ଅଭିଯୋଗ ଅନୁସାରେ, ସଂସ୍ଥାର କିଛି ବ୍ୟକ୍ତି “ରକ୍ତଦାନ ଶିବିର” ଓ “ରେଡ୍ କ୍ରସ୍” ନାମରେ ବାଇକ ଚାଳକଙ୍କୁ ୧୦ ରୁ ୨୦ ଟଙ୍କା ଏବଂ ଚାରିଚକା ଚାଳକଙ୍କୁ ଧନ ସଂଗ୍ରହ କରୁଛନ୍ତି। ଏହା ସହିତ ଯେଉଁ ରସିଦ ଦିଆଯାଉଛି, ସେଥିରେ ଦାତାଙ୍କ ନାମ ଉଲ୍ଲେଖ ନଥିବା ଓ ଖାଲି ରସିଦ ବଣ୍ଟନ ହେଉଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ସନ୍ଦେହ ଓ ଅସନ୍ତୋଷ ବୃଦ୍ଧି ପାଇଛି। ସେମାନଙ୍କ କହିବା ଅନୁସାରେ, ଏହି ଧନ ସଂଗ୍ରହ ପାଇଁ କୌଣସି ଅ ଧିକାରିକ ଅନୁମତି ରହିଛି କି ନାହିଁ, ସେଥିରେ ସ୍ପଷ୍ଟ ନାହିଁ ।
ଏହି ଘଟଣାକୁ ନେଇ କୋରାପୁଟ ଜିଲ୍ଲାପାଳ ଓ ମାଲକାନଗିରି ଜିଲ୍ଲାପାଳଙ୍କ ରେଡକ୍ରସ ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗରେ ସଂସ୍ଥାର ନିବନ୍ଧନ ପତ୍ର, ଅଡିଟ୍ ରିପୋର୍ଟ, ଧନ ସଂଗ୍ରହ ପାଇଁ ଅନୁମତି ପତ୍ର ଓ ଧନ ବ୍ୟବହାର ସମ୍ପର୍କରେ ତଦନ୍ତ କରିବାକୁ ଦାବି କରାଯାଇଛି।
ସେହିପରି, ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏହିପରି ଅବୈଧ କାର୍ଯ୍ୟକଳାପ ହେଉଛି କି ନାହିଁ, ସେଥିରେ ବ୍ୟାପକ ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି। ଏହି ଅଭିଯୋଗ ଉପରେ ପ୍ରଶାସନ କେବେ ଓ କେମିତି ପଦକ୍ଷେପ ନେବ, ସେ ନେଇ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ