
ଚମ୍ପୁଆ, ୨୪ ଏପ୍ରିଲ୍ (ହି.ସ.) - ଚମ୍ପୁଆସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ନୂତନ ଭାବେ ଭର୍ତି ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ବିଦ୍ୟା ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚମ୍ପୁଆ ର ସହାୟକ ଜିଲ୍ଲାପାଳ ଫୁର୍ଲାଇ ବେସ୍ରା ମୁଖ୍ୟ ଅତିଥି ଏବଂ ପ୍ରଥମ ଶ୍ରେଣୀ ରେ ନୂତନ ଭାବେ ନାମ ଲେଖାଇ ଥିବା କୁନି କୁନି ଛାତଛାତ୍ରୀ ଓ ଅବିଭାବକ ମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଗାର୍ଡ ଅଫ୍ ଅନର ସହିତ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନବଭର୍ତିଙ୍କ ସ୍ୱାଗତ ପାଇଁ ସ୍ୱାଗତ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ଚକୋଲେଟ, ବିଦ୍ୟାପ୍ରବେଶ ବୁକ୍ଲେଟ୍ ଉପହାର ରୂପେ ଦିଆଯାଇ ଥିଲା।
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ହରମନ ଛୁରା ତାଙ୍କ ସ୍ୱାଗତ ଅଭିଭାଷଣରେ କୁନି କୁନି ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ଗଠନ ପାଇଁ ପ୍ରତି ବଦ୍ଧତା ଉପରେ ଚର୍ଚ୍ଚା କରିଥିଲେ। ଉତ୍ସବର ମୁଖ୍ୟ ଅତିଥି ସହାୟକ ଜିଲ୍ଲାପାଳ ଶ୍ରୀ ବେସ୍ରା କୁନି କୁନି ଛାତ୍ରଛାତ୍ରୀ ମାନେ କେନ୍ଦ୍ରୀୟ ବିଦ୍ୟାଳୟ ଚମ୍ପୁଆର ସର୍ବାଙ୍ଗୀନ ଉନ୍ନତିରେ କିପରି ସହାୟକ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅଭିଭାବକ ମଧ୍ୟ ଉପସ୍ଥିତ ରହି କେନ୍ଦ୍ରୀୟ ବିଦ୍ୟାଳୟକୁ ସବୁଜ ସୁନ୍ଦର ଗଢ଼ିବା ପାଇଁ ଗୋଟେ ଗୋଟେ ଫୁଲଗଛ ଉପହାର ସଦୃଶ ପ୍ରଦାନ କରିଥିଲେ, ଯାହା ଏକ ନିଆରା ଏବଂ ଅଭିନବ ପ୍ରୟାସ ବୋଲି କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta