
ପୁରୀ, ୨୪ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଆଜି ଅପରାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା। ପୁରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପଞ୍ଚାୟତରାଜ ବ୍ୟବସ୍ଥା ସାଧାରଣ ଲୋକ ମାନଙ୍କ ଆଶା ଭରସାର ପ୍ରତୀକ। ଏହା ସାମ୍ବିଧାନିକ ଅଧିକାର ମଧ୍ୟ ବୋଲି କହିଥିଲେ। ରାସ୍ତାଘାଟ ନିର୍ମାଣ, ଗମନାଗମନ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ପାନୀୟ ଜଳ ଯୋଗାଣ ଇତ୍ୟାଦି ମୌଳିକ ଆବଶ୍ୟକତାକୁ ପୂରଣ ଦିଗରେ ପଞ୍ଚୟତିରାଜ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚୟତିରାଜ ବ୍ୟବସ୍ଥା ପ୍ରଚଳିତ। ପ୍ରତ୍ୟେକଙ୍କ ବିକାଶ ଓ ଉନ୍ନତି ପାଇଁ ଏହା କାର୍ଯ୍ୟ କରୁଛି ବୋଲି ଶ୍ରୀ ମହାନ୍ତି କହିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କରି ପ୍ରୋତ୍ସାହନ ରାଶି ହାତେଇବାକୁ ଅନୁରୋଧ କରିଥିଲେ। ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ଯୋଗଦେଇ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହା ଅରୁଗୁଳା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।
ପରେ ଅତିଥି ମାନେ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ପୁରୀ ଜିଲ୍ଲାର ୧୮୫୨ ଜଣଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଆଜି କାର୍ଯ୍ୟାଦେଶ ବଣ୍ଟନର ବ୍ୟବସ୍ଥା ରହିଥିବା ବେଳେ ପୁରୀ ସଦର ବ୍ଲକ ର ୨୦୬ ଜଣଙ୍କୁ କାର୍ଯ୍ୟାଦେଶ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କରିଥିବାରୁ ୫ ଜଣଙ୍କୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସର ସିଧା ପ୍ରସାରଣ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପୁରୀ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ