ଭେଡେନ ନଦୀରୁ ଅବୈଧ ଜଳ ଉଠାଣ ଅଭିଯୋଗ: ତଦନ୍ତ ପାଇଁ ପ୍ରଶାସନର କଠୋର ପଦକ୍ଷେପ
Strict action against company
ଭେଡେନ ନଦୀରୁ ଅବୈଧ ଜଳ ଉଠାଣ ଅଭିଯୋଗ: ତଦନ୍ତ ପାଇଁ ପ୍ରଶାସନର କଠୋର ପଦକ୍ଷେପ


ଝାରସୁଗୁଡ଼ା, ୨୪ ଏପ୍ରିଲ୍ (ହି.ସ.) - ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଭେଡେନ ନଦୀରୁ ଏସଏମସି କମ୍ପାନୀ ପକ୍ଷରୁ ବେଆଇନ ଭାବେ ଜଳ ଉଠାଣ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ପରେ ପ୍ରଶାସନ ସଚେତନ ହୋଇଉଠିଛି। ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବୁର୍ଲା ଡ୍ୟାମ୍ ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ସ୍ପଷ୍ଟ କରିଥିଲେ ଯେ, ୨୦୨୫ ନଦୀବନ୍ଧ ଅଧିନିୟମ ଅନୁଯାୟୀ କୌଣସି କମ୍ପାନୀ କିମ୍ବା ସଂସ୍ଥା ନଦୀର ପ୍ରାକୃତିକ ପ୍ରବାହକୁ ବାଧା ଦେଇପାରିବେ ନାହିଁ। ନଦୀ ଗର୍ଭରେ କୂଅ ଖୋଳି କୃତ୍ରିମ ଉପାୟରେ ପାଣି ଉଠାଇବା ସଂପୂର୍ଣ୍ଣ ବେଆଇନ ବୋଲି ସେ କହିଥିଲେ। ସେହିପରି, ନଦୀର ପ୍ରାକୃତିକ ପ୍ରବାହ ରହିଥିବା ସମୟରେ କମ୍ପାନୀମାନେ ଜଳ ନେଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।

ସ୍ଥାନୀୟ ଜମେରା, ହିର୍ମା ଓ ମଲଦା ପଂଚାୟତର ସରପଂଚମାନେ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ ନଦୀରୁ ଅବୈଧ ଜଳ ଉଠାଣ ଫଳରେ ସୃଷ୍ଟି ହେଉଥିବା ଜନସମସ୍ୟା ବିଷୟରେ ଅଧିକାରୀମାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଲୋକହିତକୁ ଦୃଷ୍ଟିରେ ରଖି ଏହା ବିରୋଧରେ କଠୋର ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଥିଲେ।

ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାରଙ୍କ ସୂଚନା ଅନୁସାରେ, ଉପଜିଲ୍ଲାପାଳ ଏହି ଘଟଣାର ସ୍ଥଳ ପରିଦର୍ଶନ ପାଇଁ ଡ୍ୟାମ୍ କର୍ତୃପକ୍ଷ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ମିଳିତ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଶୀଘ୍ର ରିପୋର୍ଟ ଦେବେ। ରିପୋର୍ଟ ପ୍ରାପ୍ତି ପରେ ଦୋଷୀଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏହି ବୈଠକରେ ଏସଏମସି କମ୍ପାନୀର ଏଜିଏମ ଜଗଦୀଶ ସାହୁ, ବଡ଼ମାଲ ଓ ସଦର ଥାନାର ଆଇଆଇସି ସହିତ ଅନେକ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande