
ପୁରୀ, ୨୪ ଏପ୍ରିଲ୍ (ହି.ସ.) - ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା, ଯାତାୟାତ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ଆପତ୍କାଳୀନ ସେବା ସମ୍ପର୍କିତ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସମ୍ପର୍କରେ ଶୁକ୍ରବାର ଆଇପିସିଆର ର ଏକ ସମୀକ୍ଷା ହୋଇଯାଇଛି । ଏହି ସମୀକ୍ଷାରେ ପୁରୀ ଏସପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଏସପି ଦେବ ପ୍ରତାପ, ସିଟି ଡିଏସପି ରସ୍ମିରଞ୍ଜନ ମହାପାତ୍ର, ଡିଏସପି ମିସ୍ କଳ୍ପନା କାଊରୀ, ଟାଉନ ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ଆଇପିସିଆର ଆଇଆଇସି ସସ୍ମିତା ଧଳ ଆରାଇ ଚିତରଞ୍ଜନ ମହାନ୍ତି ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୧୧୨ ଆପତ୍କାଳୀନ ସେବା ମନିଟରିଂକୁ ଆହୁରି ସକ୍ରିୟ କରାଯିବା ସିସିଟିଭି ମାଧ୍ୟମରେ ରିଆଲ୍-ଟାଇମ ନିରୀକ୍ଷଣ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯିବା ଶ୍ରୀମନ୍ଦିର ଓ ତାହା ସଂଲଗ୍ନ ଅଂଚଳରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ପ୍ରସ୍ତୁତି, ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ଟ୍ରାଫିକ ପ୍ଲାନ ପ୍ରସ୍ତୁତି, ପର୍ଯ୍ୟଟକ ଓ ଭକ୍ତମାନଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରେଜେନ୍ସ ବୃଦ୍ଧି ବିଭିନ୍ନ ବିଭାଗ ସହ ସମନ୍ୱୟ ସୃଷ୍ଟି କରି ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ନିଶ୍ଚିତ କରାଯିବା ପୁରୀ ଏସପି ପ୍ରତୀକ ସିଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଦେବସ୍ନାନ ପୂର୍ଣ୍ଣିମା ସମୟରେ ବହୁ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସିବେ। ତେଣୁ ସମସ୍ତ ବ୍ୟବସ୍ଥାକୁ ସମୟମଧ୍ୟରେ ସଂପୂର୍ଣ୍ଣ କରି ସୁରକ୍ଷିତ ଓ ସୁଚାରୁ ଉତ୍ସବ ପାଳନ ନିଶ୍ଚିତ କରାଯିବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ଆଇପିସିଆର ମାଧ୍ୟମରେ ସମସ୍ତ କାର୍ଯ୍ୟକଳାପର ନିରନ୍ତର ମନିଟରିଂ ହେବା ସହ ଯେକୌଣସି ଆପତ୍କାଳୀନ ପରିସ୍ଥିତିରେ ୧୧୨ ସେବା ଦ୍ୱାରା ତୁରନ୍ତ ସହଯୋଗ ଯୋଗାଇ ଦିଆଯିବ। ପୁରୀ ପୋଲିସ ସମସ୍ତ ଭକ୍ତ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ, ପୋଲିସ ଦ୍ୱାରା ଜାରି ହେବାକୁ ଯାଉଥିବା ନିୟମାବଳୀ ଓ ନିର୍ଦ୍ଦେଶକୁ ମାନି ଶାନ୍ତିପୂର୍ଣ୍ଣ ଭାବରେ ଉତ୍ସବକୁ ସଫଳ କରିବାରେ ସହଯୋଗ କରନ୍ତୁ।
ହିନ୍ଦୁସ୍ଥାନ ସମାଚାର / ବିଜୟ