
ନୂଆଦିଲ୍ଲୀ, ୨୫ ଏପ୍ରିଲ୍(ହି.ସ.) – ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ସମସ୍ତ ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଫର୍ମ ୧୭ଏ (ଇଲେକ୍ଟୋରାଲ ରେଜିଷ୍ଟର) ଏବଂ ଅନ୍ୟାନ୍ୟ ନିର୍ବାଚନୀ ଦସ୍ତାବିଜର ଯାଂଚ ଶେଷ କରିବା ପରେ ନିର୍ବାଚନ ଆୟୋଗ କହିଛନ୍ତି ଯେ କୌଣସି କେନ୍ଦ୍ରରେ ପୁନଃ ମତଦାନ ପାଇଁ ସୁପାରିଶ କରାଯାଇ ନାହିଁ।
ନିର୍ବାଚନ ଆୟୋଗ ଶନିବାର ଦିନ ଏକ ବୟାନାରେ କହିଛନ୍ତି ଯେ ଏହି ପ୍ରକ୍ରିୟା ୨୪ ଅପ୍ରେଲରେ ଦୁଇ ରାଜ୍ୟର ନିର୍ବାଚିତ ଅଧିକାରୀଙ୍କ ତତ୍ୱାବଧାନରେ ଏବଂ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସମାପ୍ତ ହୋଇଛି। ପଶ୍ଚିମବଙ୍ଗର ୧୫୨ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବା ପରେ ୧,୪୭୮ ପ୍ରାର୍ଥୀଙ୍କୁ ଯାଂଚର ତାରିଖ, ସମୟ ଏବଂ ସ୍ଥାନ ସୂଚିତ କରାଯାଇଥିଲା। ୬୦୦ ରୁ ଅଧିକ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧି ଯାଂଚରେ ଅଂଶଗ୍ରହଣ କରିଥିଲେ। ୪୪, ୩୭୬ଟି ମତଦାନ କେନ୍ଦ୍ର ଯାଂଚ କରିବା ପରେ କୌଣସି କେନ୍ଦ୍ରରେ ପୁନର୍ବାର ମତଦାନ ପାଇଁ ସୁପାରିସ କରାଯାଇ ନଥିଲା।
ତାମିଲନାଡୁର ସମସ୍ତ ୨୩୪ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବା ପରେ, ୪,୦୨୩ ପ୍ରାର୍ଥୀଙ୍କୁ ଯାଂଚ ପ୍ରକ୍ରିୟାରେ ଯୋଗଦେବାକୁ ସୂଚନା ଦିଆଯାଇଥିଲା। ୧,୮୨୫ ଜଣ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ୭୫,୦୬୪ଟି ମତଦାନ କେନ୍ଦ୍ର ଯାଂଚ କରିବା ପରେ ମଧ୍ୟ କୌଣସି କେନ୍ଦ୍ରରେ ପୁନର୍ବାର ମତଦାନ ପାଇଁ ସୁପାରିସ କରାଯାଇ ନଥିଲା।
ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା ଏବଂ ଯାଂଚ ପରେ, ଫର୍ମ ୧୭ଏ ଏବଂ ସମ୍ପୃକ୍ତ ସାମଗ୍ରୀକୁ ପୁନଃ ସିଲ୍ କରାଯାଇଥିଲା ବୋଲି ଇସି କହିଛନ୍ତି। ଇ.ଭି.ଏମ୍. ଏବଂ ଭି.ଭି.ପେଟ୍ ମେସିନଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି। ଏହାକୁ ଡବଲ ଲକିଂ ବ୍ୟବସ୍ଥା, ସି.ସି.ଟି.ଭି. ନିରୀକ୍ଷଣ ଏବଂ ଦିନରାତି ଦୁଇ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି