
ହାଓଡ଼ା, ୨୬ ଏପ୍ରିଲ୍(ହି.ସ.) – ରବିବାର ଅପରାହ୍ନରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ମଧ୍ୟରେ ଉତର ହାୱଡ଼ାରୁ ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ଉମେଶ ରାୟଙ୍କ ସମର୍ଥନରେ ଅଭିନେତା-ସାଂସଦ ରବି କିଶନ ପ୍ରଚାର କରୁଥିବାବେଳେ ତୃଣମୂଳ କଂଗ୍ରେସ କର୍ମୀମାନେ 'ଜୟ ବଙ୍ଗଳା' ସ୍ଲୋଗାନ ଦେଉଛନ୍ତି। ଏହାକୁ ନେଇ ଟିଏମ୍ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ସାଂସଦ ରବି କିଶନ ଉତର ହାଓଡ଼ାର ପ୍ରାର୍ଥୀ ଉମେଶ ରାୟଙ୍କ ସମର୍ଥନରେ ବାମନଗାଛି ଅଂଚଳରେ ଏକ ରୋଡ୍ ସୋ କରିଥିଲେ। ସେହି ସମୟରେ, ଅରବିନ୍ଦ ସ୍କୁଲ ନିକଟରେ ଟିଏମସି ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ତୃଣମୂଳ ସମର୍ଥକମାନେ ବିଜେପି ଶୋଭାଯାତ୍ରା ବିରୋଧରେ ଜୟ ବଙ୍ଗଳା ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ, ବିଜେପି କର୍ମୀମାନେ ଜୟ ଶ୍ରୀରାମ ଏବଂ ଚୋର ଚୋର ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଗଣ୍ଡଗୋଳ ହୋଇଥିଲା।
ବିଜେପି ଅଭିଯୋଗ କରିଛି ଯେ ତାଙ୍କୁ ତୃଣମୂଳ କର୍ମୀମାନେ ଲାଠି ଏବଂ ବାଉଁଶ ଦ୍ୱାରା ଆକ୍ରମଣ କରିଥିଲେ। ତେବେ ତୃଣମୂଳ ଦାବି କରିଛି ଯେ ବିଜେପି କର୍ମୀମାନେ ବିନା କାରଣରେ ଶୋଭାଯାତ୍ରା କରୁଥିବା ଲୋକଙ୍କୁ ଲାଠି ଏବଂ ରଡ଼ରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷ ଯୋଗୁଁ ଉକ୍ତ ଅଂଚଳରେ ଉତେଜନା ବୃଦ୍ଧି ପାଇଥିଲା। ସୂଚନା ପାଇବା ପରେ କେନ୍ଦ୍ରୀୟ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ସମୟରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି