
କୋଲକାତା, ୨୫ ଅପ୍ରେଲ (ହି.ସ.)- ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ମତଦାନ ପରେ ରାଜ୍ୟର ବାତାବରଣ ଭାରତୀୟ ଜନତା ପାର୍ଟି (ବିଜେପି) ସପକ୍ଷରେ ଥିବା ପରି ମନେ ହେଉଛି । ତାଙ୍କ ମତରେ ଦଳ ଏଥର ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଜିତିପାରିବ ।
ଶନିବାର ଦିନ କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ସେ ୨୦୧୬ ଏବଂ ୨୦୧୯ ନିର୍ବାଚନ ସମୟରେ ମଧ୍ୟ ପଶ୍ଚିମବଙ୍ଗ ଆସିଥିଲେ, କିନ୍ତୁ ଏଥର ଭଳି ଜନସମର୍ଥନ ସେ ପୂର୍ବରୁ ଦେଖି ନଥିଲେ । ସେ କହିଛନ୍ତି ଯେ, ପୂର୍ବରୁ ଲୋକଙ୍କ ମନରେ ସଂକୋଚ ଓ ଦ୍ୱନ୍ଦ ଥିଲା, କିନ୍ତୁ ବର୍ତମାନ ଏହା ସମ୍ପୂର୍ଣ୍ଣ ସମାପ୍ତ ହୋଇଛି ଏବଂ ଭୋଟରମାନେ ଖୋଲାଖୋଲି ସମର୍ଥନ କରୁଛନ୍ତି ।
ସେ ଦାବି କରିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବିଜେପି ଏକ ବଡ଼ ଅଗ୍ରଣୀ ହାସଲ କରିଛି । ଶର୍ମାଙ୍କ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ହିଁ ଦଳ ପ୍ରାୟ ୧୧୦ଟି ଆସନରେ ବିଜୟୀ ସ୍ଥିତିରେ ପହଂଚିଛି । ସେ କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ୨୦୦ ଆସନ ଅତିକ୍ରମ କରେ ତେବେ କେହି ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ ।
ଆସାମକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଆତ୍ମବିଶ୍ୱାସ ପ୍ରକଟ କରିଥିଲେ । ସେ କହିଛନ୍ତି ଯେ, ବିଜେପି ଏଥର ଆସାମରେ ୧୦୦ ଆସନ ସଂଖ୍ୟା ଅତିକ୍ରମ କରିବ ଏବଂ ରାଜ୍ୟରେ ପୁଣି ଏକ ଶକ୍ତିଶାଳୀ ସରକାର ଗଠନ କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ