
ନୂଆଦିଲ୍ଲୀ, ୨୬ ଅପ୍ରେଲ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କୁ ସ୍ମରଣ କରି ତାଙ୍କୁ ଜଣେ ବହୁମୁଖୀ ପ୍ରତିଭାବାନ, ଲେଖକ ଏବଂ ଚିନ୍ତାନାୟକ ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ଅନେକ ପ୍ରସିଦ୍ଧ ଅନୁଷ୍ଠାନ ଗଠନ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଶାନ୍ତିନିକେତନ ଗସ୍ତକୁ ସ୍ମରଣୀୟ ବୋଲି ବର୍ଣ୍ଣନା କରିଥିଲେ । ମଇ ୯ ତାରିଖ ହେଉଛି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମରେ ଶକ୍ତି କ୍ଷେତ୍ରରେ ଦେଶର ଦୁଇଟି ପ୍ରମୁଖ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ । ତାମିଲନାଡ଼ୁର କଲପକ୍କମ ଠାରେ ଥିବା ଫାଷ୍ଟ ବ୍ରିଡର ରିଆକ୍ଟର ଦ୍ୱାରା ହାସଲ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପବନ ଶକ୍ତି କ୍ଷେତ୍ରରେ ଦେଶର ୫୬ ଗିଗାୱାଟ ଉତ୍ପାଦନ କ୍ଷମତା ହାସଲ କରିବାର ସଫଳତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
'ମନ୍ କି ବାତ୍' ର ୧୩୩ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି କ୍ଷେତ୍ର ସହିତ ଜଡ଼ିତ ସଫଳତାକୁ ଭାରତର ଆଣବିକ ଶକ୍ତି ଯାତ୍ରାରେ ଏକ ମାଇଲଖୁଂଟ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ଏହି ରିଆକ୍ଟର ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ, ଯାହା ଦେଶର ବୈଜ୍ଞାନିକ ସାମର୍ଥ୍ୟ ଏବଂ ଆତ୍ମନିର୍ଭରଶୀଳତାକୁ ଦର୍ଶାଉଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟରେ ପବନ ଶକ୍ତି କ୍ଷମତାର ସମ୍ପ୍ରସାରଣ ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ, ଗତ ୧ ବର୍ଷ ମଧ୍ୟରେ ଦେଶ ୬ ଗିଗାୱାଟ କ୍ଷମତା ଯୋଡ଼ିଛି । ଏହାଦ୍ୱାରା ଦେଶର ପବନ ଶକ୍ତି ଉତ୍ପାଦନ କ୍ଷମତା ୫୬ ଗିଗାୱାଟକୁ ବୃଦ୍ଧି ପାଇଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଚାଲିଥିବା ଜନଗଣନାକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ଏପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ଘରର ତାଲିକା ପ୍ରସ୍ତୁତ ହୋଇସାରିଛି । ଅନଲାଇନ୍ ମାଧ୍ୟମରେ ଫର୍ମଗୁଡିକ ସ୍ୱୟଂ ପୂରଣ କରିବା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ।
ଦେଶର ଐତିହ୍ୟକୁ ଜାଣିବା ଏବଂ ବୁଝିବା ଦିଗରେ ଭାରତୀୟ ଜାତୀୟ ଅଭିଲେଖାଗାର ନିକଟରେ କରିଥିବା ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଆର୍କାଇଭ୍ ଇଣ୍ଡିଆ ନିକଟରେ ୨୦ କୋଟି ଦସ୍ତାବିଜକୁ ଡିଜିଟାଲାଇଜ କରି ସାର୍ବଜନିକ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦସ୍ତାବିଜଗୁଡ଼ିକ ଏହା ସହିତ ଜଡ଼ିତ ୱେବସାଇଟକୁ ଯାଇ ପଢ଼ାଯାଇପାରିବ ।
ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ସହିତ ଜଡ଼ିତ ଟ୍ୟୁନ୍ ବର୍ତମାନ ୱେଭସ୍ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଲୋକମାନେ ସେଠାକୁ ଯାଇ ଏହାର ମଜା ନେଇପାରିବେ । ଖୁବ୍ ଶୀଘ୍ର ଏହା ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ