
ନୂଆପଡ଼ା, ୨୭ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ଦ୍ବାରିକା ନାଥ ଶତପଥୀ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ବ୍ଲକ ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝୀ, ଏସ୍ ଡି ପି ଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ୩୧ ଗୋଟି ବ୍ୟକ୍ତିଗତ ଓ ୧୧ ଟି ଗୋଷ୍ଠୀଗତ ମୋଟ ୪୨ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଶିବିରରେ କେନ୍ଦୁମୁଣ୍ଡା ଗ୍ରାମର ଖିଲେଶ୍ୱରୀ ମାଝୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇ ଥିଲା l ସେହିପରି, ହେମନ୍ତୀ ମାଝୀ ଓ ମାଳତୀ ସତନାମୀଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏ ରେଡ୍ କ୍ରସ ପାଣ୍ଠିରୁ ଚେକ୍ ପ୍ରଦାନ କରାଯାଇଥିଲା।
ଶିବିର ଉପଲକ୍ଷେ କଇଟପଦର ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଓ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଓ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା l ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଏକ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଆଜି ଶିବିରରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ