
ବ୍ରହ୍ମପୁର, ୨୭ ଏପ୍ରିଲ୍ (ହି.ସ.)- ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଓ ଦ୍ବିତୀୟ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ ତମ ଜୟନ୍ତୀ ସମାରୋହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ସମର୍ପିତ ଓଡ଼ିଆ ମାନଙ୍କ ଐତିହ୍ୟ ଭବନ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ପକ୍ଷରୁ ପାଳନ ହୋଇଯାଇଛି। ଏହି ଜୟନ୍ତୀ ସମାରୋହ ଅବସରରେ ଉତ୍କଳ ସମ୍ମିଳନୀ ସଭାପତି ଡଃ. ସୁବ୍ରତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ସାହିତ୍ୟିକ ହରେକୃଷ୍ଣ ପଣ୍ଡା ଏବଂ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରି ମୋଗଲ ଓ ଇଂରେଜ ସରକାର ଉତ୍କଳ ପ୍ରଦେଶକୁ ବିଭିନ୍ନ ପ୍ରଭିନ୍ସରେ ଭାଗ ଭାଗ କରି ଶାସନ କରିବା ଏବଂ ଓଡ଼ିଆ ମାନଙ୍କୁ ଏକାଠି କରାଇ ନ ଦେବା ପାଇଁ କରିଥିବା ଚକ୍ରାନ୍ତ ଏପରିକି ତତ୍ କାଳୀନ ସମୟରେ ଆମ ଦେଶରେ ଜାତୀୟ ସ୍ତରରେ ମଧ୍ୟ ଚଂଚକତା କରାଯାଇଥିଲା କିନ୍ତୁ ଉତ୍କଳ ଜନନୀଙ୍କ ବରେଣ୍ୟ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ପ୍ରାତଃ ସ୍ମରଣୀୟ ରାଜା ସାହେବ ହରିହର ମର୍ଦ୍ଦରାଜ, ରାମଚନ୍ଦ୍ର ମର୍ଦ୍ଦରାଜ, ରାମଚନ୍ଦ୍ର ଭଞ୍ଜ ଦେବ, ଜୟପୁର ରାଜା ବିକ୍ରମ ଦେବ, ଫକିରମୋହନ ସେନାପତି ଉତ୍କଳ ମଣି ଗୋପବନ୍ଧୁ ଦାସ, ଖେମୁଣ୍ଡି ରାଜା କୃପାମୟ ଅନଙ୍ଗ ଭୀମ ଦେବ, ନୀଳମଣି ବିଦ୍ୟାରତ୍ନ, ଗଞ୍ଜାମର ରାଜନ୍ୟବର୍ଗ ସର୍ବୋପରି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନିଷ୍ଠାପର ଅବଦାନ ଯୋଗୁଁ ଆମେ ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ପାଇବାରେ ସକ୍ଷମ ହୋଇଥିଲେ ବୋଲି ମତପ୍ରକାଶ କରିଥିଲେ।
ମୁଖ୍ୟ ଅତିଥି ହରେକୃଷ୍ଣ ପଣ୍ଡା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବିସ୍ମରଣୀୟ ଓ ଅତୁଳନୀୟ ଅବଦାନ ଯୋଗୁଁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଶେଷରେ ସମ୍ଭବ ହୋଇପାରିଲା ସେ ଯଥାର୍ଥରେ କୋଟି ଓଡ଼ିଆଙ୍କ ମଉଡ଼ମଣି ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ଡଃ. ସୁବ୍ରତ କୁମାର ସାହୁ ତାଙ୍କ ଅଭିଭାଷଣରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ପ୍ରରୋଚନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ତତ୍ କାଳୀନ ନେତୃବର୍ଗ ଯେଉଁଭଳି ନିଷ୍ଠାପର ଉଦ୍ୟମ କରିଥିଲେ, ଲଣ୍ଡନ ଠାରେ ଗୋଲ୍ ଟେବୁଲ ବୈଠକରେ ଯୋଗଦାନ କରି ବ୍ରିଟିଶ ସରକାରଙ୍କ ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ତାହା ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ପଥ ସୁଗମ ହୋଇପାରିଥିଲା। ତଥାପି ତତ୍ କାଳୀନ ସମୟରେ କେତେକ ଆଭ୍ୟନ୍ତରୀଣ ଚକ୍ରାନ୍ତ ଅସହଯୋଗ ଯୋଗୁଁ ବହୁ ଖାଣ୍ଟି ଓଡ଼ିଆ ଅଂଚଳ ପଡ଼ୋଶୀ ରାଜ୍ୟ ରହିଯାଇଛି। ସେଠାରେ ଏବେ ମଧ୍ୟ କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଆମ ଭାଷା ପ୍ରତି ମମତା ଆନ୍ତରିକତା ଆମ ଓଡ଼ିଆ ସଭ୍ୟତାର ପରିଚାୟକ ଆମ ସଂସ୍କୃତି ଉଜ୍ଜିବିତ ହୋଇ ରହିଛି। ସେମାନଙ୍କ ମଧ୍ୟରେ ଏହି ଭାବ ଜାଗ୍ରତ କରି ରଖିବା ପାଇଁ ଉତ୍କଳ ସମ୍ମିଳନୀ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରୁଛି ବୋଲି ମତବ୍ୟକ୍ତ କରିବା ସହ ଉତ୍କଳ ସମ୍ମିଳନୀ ଦ୍ବାରା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷକ ନିଯୁକ୍ତି କରିବା, ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାବର୍ଷ ଆରମ୍ଭରୁ ଓଡ଼ିଆ ପାଠ୍ୟପୁସ୍ତକ ପଠାଇବା ଇତ୍ୟାଦି ମହାନ କାର୍ଯ୍ୟ କରି ଆସୁଛି। ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ହେବ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଅନୁସାରେ ଉତ୍କଳ ସମ୍ମିଳନୀ ଦ୍ୱାରା ନିଯୁକ୍ତି ହୋଇଥିବା ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଗତ ଦୀର୍ଘ ତିନି ବର୍ଷ ହେଲା ଦରମା ପ୍ରଦାନ କରାଯାଇ ନଥିବାରୁ ସେମାନେ ହତୋତ୍ସାହିତ ହୋଇ କାଳାତିପାତ କରୁଛନ୍ତି ତେଣୁ ରାଜ୍ୟ ସରକାର ସେମାନଙ୍କୁ ଯଥାଶୀଘ୍ର ଏକା କାଳିନ ସମସ୍ତ ଦରମା ପ୍ରଦାନ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ମାସିକ ସାତ ହଜାର ଟଙ୍କା ପ୍ରତ୍ୟେକ ମାସରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଲୋଚନା କରିଥିଲେ। ଏହି ଜୟନ୍ତୀ ସମାରୋହରେ ସମ୍ମିଳନୀର ଜିଲ୍ଲା ପ୍ରତିନିଧି ଡାକ୍ତର ସମରେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ କେଦାର ନାଥ ପଣ୍ଡା ଙ୍କ ସମେତ ଦେବବ୍ରତ ଦେଓ, ଉପଦେଷ୍ଟା ନବୀନ କୁମାର ପଟ୍ଟନାୟକ, ଶାନ୍ତନୁ ବରାଡ, ଶ୍ରୀମତୀ ପଦ୍ମିନୀ ମିଶ୍ର, ସୁଚେତା ପାଣିଗ୍ରାହୀ, ମହମ୍ମଦ ଆସଲାମ, ଡ଼.ସୁଜିତ କୁମାର ପଣ୍ଡା, ନିରଞ୍ଜନ ମହାପାତ୍ର, ଭଗବାନ ସାହୁ,ସୁବାସ ଚନ୍ଦ୍ର ପଟ୍ଟନାୟକ, ଗୌରୀଶଙ୍କର ପଟ୍ଟନାୟକ,ଅନୁପ କୁମାର ମିଶ୍ର, ବିଜୟ କୁମାର ନନ୍ଦ, ପ୍ରେମଶିଳା ନନ୍ଦ ଡ଼ କୃଷ୍ଣ ପ୍ରସାଦ ମହାପାତ୍ର, ବିରୁପାକ୍ଷ ଦାଶ,ଭି. ନୀଳାଞ୍ଚଳ ପାତ୍ର, ଶିଶିର କୁମାର ସାବତ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଅନୁଷ୍ଠିତ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ଉପସ୍ଥିତିରେ ସମ୍ମିଳନୀର ସଭାପତି ଡଃ. ସୁବ୍ରତ କୁମାର ସାହୁ ଏବଂ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବଙ୍କ ପରିଚାଳନାରେ ବହୁ ସଦସ୍ୟ ସଦସ୍ୟା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ