
ବଲାଙ୍ଗିର, ୨୭ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ପଞ୍ଚାୟତର ନୂଆପଡା ଗାଁରେ ଶୌଚ ପାଇଁ ଘରୁ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ସୂଚନା ମିଳିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସକାଳ ସମୟରେ ସମ୍ପୃକ୍ତ ବ୍ୟକ୍ତି ଗାଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ ଏକ ଭାଲୁର ସମ୍ମୁଖୀନ ହୋଇଥିଲେ । ଭାଲୁଟି ତୁରନ୍ତ ଆକ୍ରମଣ କରି ତାଙ୍କୁ ଗୁରୁତର ଭାବେ ଆହତ କରିଥିଲା । ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କଣ୍ଟାବାଞ୍ଜି ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ସହିତ ଗ୍ରାମବାସୀମାନେ ଜଙ୍ଗଲକୁ ଯିବାପାଇଁ ଭୟ କରୁଛନ୍ତି । ବନ ବିଭାଗ ଶୀଘ୍ର ପଦକ୍ଷେପ ନେଇ ଭାଲୁକୁ ଜନବସତିରୁ ଜଙ୍ଗଲକୁ ଘଉଡାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ