
ସିମଲା, ୨୭ ଅପ୍ରେଲ (ହି.ସ.)- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିମାଚଳ ପ୍ରଦେଶକୁ ପାଂଚଦିନିଆ ଗସ୍ତରେ ଯାଇ ସୋମବାର ଦିନ ଶିମଲାରେ ପହଂଚିଛନ୍ତି । ରାଜଧାନୀ ସିମଲାର ଅନାଡେଲ ହେଲିପ୍ୟାଡରେ ରାଜ୍ୟର ଶୀର୍ଷ ନେତୃତ୍ୱ ଏବଂ ବରିଷ୍ଠ ସେନା ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତି ଶିମଲାରେ ପହଂଚିବା ପରେ ହିମାଚଳ ପ୍ରଦେଶର ରାଜ୍ୟପାଳ କବିନ୍ଦର ଗୁପ୍ତା, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କ୍ୟାବିନେଟ ମନ୍ତ୍ରୀ ଅନିରୁଦ୍ଧ ସିଂ, ରାଜ୍ୟସଭା ସାଂସଦ ସୁରେଶ କଶ୍ୟପ ଏବଂ ବିଧାନସଭା ବାଚସ୍ପତି କୁଳଦୀପ ସିଂ ପଠାନିଆ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେନା ତରଫରୁ ସେନା ତାଲିମ କମାଣ୍ଡ (ଆରଟ୍ରେକ)ର ଚିଫ୍ ଅଫ୍ ଷ୍ଟାଫ୍ ଲେଫ୍ଟନାଂଟ ଜେନେରାଲ ଦେବେନ୍ଦ୍ର ଶର୍ମା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।
ସିମଲାରେ ପହଂଚିବା ପରେ ରାଷ୍ଟ୍ରପତି ସିଧା ମଶୋବରା ସ୍ଥିତ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଠାରେ ସେ ତାଙ୍କ ରହଣି ସମୟରେ ରହିବେ । ଏହି ଗସ୍ତ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ଯାତ୍ରାର ଅଂଶବିଶେଷ, ଯାହା ଅପ୍ରେଲ ୨୭ ରୁ ମଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାର୍ଯ୍ୟସୂଚୀ ବ୍ୟସ୍ତବହୁଳ ହେବାକୁ ଯାଉଛି । ଅପ୍ରେଲ ୨୮ ତାରିଖରେ ସେ ଶିମଲାର ରାଜଭବନ ସ୍ଥିତ ଲୋକ ଭବନରେ ରାଜ୍ୟପାଳଙ୍କ ଦ୍ୱାରା ଆୟୋଜିତ ଔପଚାରିକ ଭୋଜିରେ ଯୋଗଦେବେ, ଯେଉଁଠାରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ । ଅପ୍ରେଲ ୨୯ ତାରିଖରେ ରାଷ୍ଟ୍ରପତି କୁଲ୍ଲୁ ଠାରେ ଥିବା ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ ଏବଂ ଲାହୌଲ ସ୍ପିତି ଜିଲ୍ଲାର ସିସୁ ଠାରେ ସୀମା ସଡ଼କ ସଂଗଠନ (ବି. ଆର. ଓ.) ର ଅଧିକାରୀମାନଙ୍କ ସହ ଏକ ବୈଠକରେ ପ୍ରକଳ୍ପର ସମୀକ୍ଷା କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ