
ନୂଆଦିଲ୍ଲୀ, ଏପ୍ରିଲ ୨୭ (ହି.ସ)- ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପାକିସ୍ତାନ ଏବଂ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ଜାରି ରହିଥିବା ମାନବିକ ଅଧିକାର ଉଲ୍ଲଂଘନ ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛି ଏବଂ ମିଳିତ ଜାତିସଂଘର ତୁରନ୍ତ ଏବଂ ପ୍ରଭାବଶାଳୀ ହସ୍ତକ୍ଷେପ ଦାବି କରିଛି। ଭିଏଚପି ଆନ୍ତର୍ଜାତୀୟ ସଭାପତି ତଥା ବରିଷ୍ଠ ଓକିଲ ଆଲୋକ କୁମାର ମିଳିତ ଜାତିସଂଘର ସାଧାରଣ ସଭାପତି ଆନାଲେନା ବେରବକ୍ଙ୍କୁ ଚିଠି ଲେଖି ଉଭୟ ଦେଶରେ ବିଶେଷ କରି ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୁଦ୍ଧରେ ନିର୍ଯ୍ୟାତନା, ବାଧ୍ୟତାମୂଳକ ଧର୍ମାନ୍ତରଣ ଏବଂ ହିଂସା ମାମଲା ଉପରେ ଆଲୋକପାତ କରିଛନ୍ତି।
ଭିଏଚ୍ପି ଜାତୀୟ ମୁଖପାତ୍ର ବିନୋଦ ବଂଶଲ ସୋମବାର ଗଣମାଧ୍ୟମକୁ ଜାରି କରିଥିବା ଏକ ଚିଠିରେ ମିଳିତ ଜାତିସଂଘର ମାନବାଧିକାର ବ୍ୟବସ୍ଥାର ସଦ୍ୟ ରିପୋର୍ଟ ଏବଂ ବିଶେଷଜ୍ଞଙ୍କ ପର୍ଯ୍ୟବେକ୍ଷଣକୁ ଦର୍ଶାଇଛନ୍ତି ଯେ ପାକିସ୍ତାନରେ ବଳପୂର୍ବକ ଧର୍ମାନ୍ତରଣ ଏବଂ ନାବାଳକ ବାଳିକାମାନଙ୍କ ବିବାହ ମାମଲାରେ ଉଦ୍ବେଗଜନକ ବୃଦ୍ଧି ଘଟିଛି। ଏହି ମାମଲାରେ ପୀଡିତ ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଟନ୍ତି। ବିଶେଷ କରି ସିନ୍ଧ ପ୍ରଦେଶରେ ଏଭଳି ଘଟଣା ବାରମ୍ବାର ଘଟୁଛି। ପୀଡ଼ିତମାନେ ଶାରୀରିକ, ମାନସିକ ଏବଂ ସାମାଜିକ ନିର୍ଯ୍ୟାତନାର ସମ୍ମୁଖୀନ ହେଉଛନ୍ତି। ଏଭଳି ମାମଲାରେ ପାକିସ୍ତାନର ଆଇନ ପ୍ରବର୍ତନକାରୀ ସଂସ୍ଥାଗୁଡ଼ିକର ପ୍ରତିକ୍ରିୟା ମଧ୍ୟ ବେଳେବେଳେ ଅପର୍ଯ୍ୟାପ୍ତ ବୋଲି ବର୍ଣ୍ଣନା କରାଯାଇଛି।
ଏହି ଚିଠିରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ବିରୋଧରେ ହିଂସା ଏବଂ ଭେଦଭାବର ଅନେକ ମାମଲା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ବହୁ ସଂଖ୍ୟକ ସାମ୍ପ୍ରଦାୟିକ ହିଂସା ଘଟଣା ଅଗଷ୍ଟ ୨୦୨୪ ସମୟରେ ହିଁ ରିପୋର୍ଟ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ