
ନୂଆପଡ଼ା, ୨୭ ଏପ୍ରିଲ (ହି.ସ.)- ପ୍ରବଳ ଖରା ସହ ନିଆଁ ଲଗାଇ ଦେଉଥିବାରୁ ଗଛପତ୍ର ସବୁ ପୋଡ଼ିଯାଉଛି। ଯାହାଦ୍ଵାରା ପରିବେଶ ଖରାପ ହେବା ସହ ତାପମାତ୍ରା ବୃଦ୍ଧି ପାଉଛି। ନୂଆପଡ଼ା ଜିଲ୍ଲା ସହ ଖଡ଼ିଆଳ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଜଙ୍ଗଲ ବିଭାଗ ନିଆଁ ନ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରୁଛି। କିନ୍ତୁ ଲୋକେ ଏବେ ମଧ୍ୟ ସଚେତନ ହୋଇ ପାରୁ ନାହାନ୍ତି। ଖାଲି ଜଙ୍ଗଲ ନୁହଁ ବିଲରେ ମଧ୍ୟ ନିଆଁ ଲଗାଇ ଦେଉଛନ୍ତି। ବିଶେଷ କରି ରାସ୍ତା ପାଖ ବିଲ ସବୁରେ ନିଆଁ ଲଗାଇଲେ ତାହା ରାସ୍ତା କଡ଼ରେ ଥିବା ଗଛ ସବୁରେ ଲାଗି ଯାଉଅଛି। ପ୍ରବଳ ଗରମ ସହ ନିଆଁ ତାପରେ ଗଛ ସବୁ ପୋଡ଼ି ଯାଉଛି। ଖଡ଼ିଆଳ ଠାରୁ ଯାଇଥିବା ଭବାନୀପାଟଣା ରାସ୍ତା, ନୂଆପଡ଼ା ରାସ୍ତା, ବୋଡ଼େନ ରାସ୍ତା, ସିନାପାଲି ରାସ୍ତା କଡ଼ରେ ଥିବା ଗଛ ସବୁ ପୋଡ଼ି ଯାଉଥିବାରୁ ଅସୁବିଧା ସୃଷ୍ଟି ହେଉଛି। ଖରା ଦିନେ ଲୋକେ ଗଛ ଛାଇରେ ଆଶ୍ରୟ ନିଅନ୍ତି କିନ୍ତୁ ଗଛ ସବୁ ପୋଡ଼ି ଯାଉଥିବାରୁ ପଥିକ ମାନେ ଆଶ୍ରୟ ନେଇ ପାରୁ ନାହାନ୍ତି। ନିଆଁ ପାଇଁ ତାପମାତ୍ରା ବୃଦ୍ଧି ପାଉଛି।
ଏନେଇ ଖଡ଼ିଆଳ ଏସିଏଫ୍ ପ୍ରସନ୍ନଜିତ୍ ନାଏକ ପଚାରିବାରୁ ଲୋକଙ୍କୁ ଏନେଇ ସଚେତନ କରାଯାଉଛି ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ