
କୁଚବିହାର, ୫ ଅପ୍ରେଲ (ହି.ସ.)- ବିଧାନସଭା ନିର୍ବାଚନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଉତର ବଙ୍ଗ ଗସ୍ତ କରୁଛନ୍ତି । ତାଙ୍କର ଏହି ଗସ୍ତକୁ କେନ୍ଦ୍ର କରି କୁଚବିହାରରେ ଏକ ଉତ୍ସାହଜନକ ପରିବେଶ ଦେଖିବାକୁ ମିଳୁଛି । ରବିବାର ପ୍ରଧାନମନ୍ତ୍ରୀ କୁଚବିହାରର ଐତିହାସିକ ରାସମେଳା ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସଭା ଆରମ୍ଭ କରିଛନ୍ତି ।
ଏହି ମେଗା ରାଲି ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ହୋଇଛି । ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ବିଧାନସଭା ନିର୍ବାଚନରେ ଉତର ବଙ୍ଗ ଆସନଗୁଡ଼ିକ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ । ଗତ ଲୋକସଭା ନିର୍ବାଚନରେ ଏହି ଅଂଚଳ ଏକ ଦୃଢ଼ ବିଜେପି ଗଡ଼ ଭାବରେ ଉଭା ହୋଇଥିଲା ଏବଂ ସେହି ନେତୃତ୍ୱ ବଜାୟ ରଖିବା ପାଇଁ ଏବେ ଏକ ରଣନୀତି ଚାଲିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କୁଚବିହାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଜୟ ସଂକଳ୍ପ ସଭା ମାଧ୍ୟମରେ ସେ ରାଜ୍ୟବାସୀଙ୍କୁ କ’ଣ ବାର୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅପ୍ରେଲ ୭ ତାରିଖ ସକାଳ ୯ଟାରେ ରାଜ୍ୟର ବିଜେପି କର୍ମୀଙ୍କ ସହ ବ୍ରିଜ୍ କଲ୍ ମାଧ୍ୟମରେ ଆଲୋଚନା କରିବେ । ଏହା ପରେ ଅପ୍ରେଲ ୯ ରେ ହଳଦିଆ, ସିଉଡ଼ି ଏବଂ ଆସନସୋଲରେ ତିନୋଟି ପ୍ରମୁଖ ରାଲି ହେବାର ଯୋଜନା ରହିଛି । ପଶ୍ଚିମ ମିଦିନାପୁରର ନାରାୟଣଗଡ଼ରେ ମଧ୍ୟ ଏକ ସଭାର ଯୋଜନା ରହିଛି । ଅପ୍ରେଲ ୧୨ ତାରିଖରେ ସିଲିଗୁଡ଼ିରେ ଏକ ଭବ୍ୟ ରୋଡ୍ ଶୋ’ ହେବାର ମଧ୍ୟ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ