ବ୍ରଜରାଜନଗରରେ ପୌର ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢ଼ଉ
ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଆଜି ବ୍ରଜରାଜନଗର ସହରର ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଚଢ଼ଉ କରାଯାଇଛି। ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣୀ ସ୍ୱାଇଁଙ୍କ ପ୍ରତ୍ୟକ୍ଷ
ବ୍ରଜରାଜନଗରରେ ପୌର ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢ଼ଉ


ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଆଜି ବ୍ରଜରାଜନଗର ସହରର ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଚଢ଼ଉ କରାଯାଇଛି। ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣୀ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗାନ୍ଧୀ ଛକ ନିକଟସ୍ଥ ବିଭିନ୍ନ ରେଷ୍ଟୁରାଣ୍ଟ, କାଫେ ଏବଂ ମାଂସ ଦୋକାନଗୁଡ଼ିକରେ ଅତର୍କିତ ଯାଞ୍ଚ କରିଛନ୍ତି।

ଏହି ଚଢ଼ଉ ସମୟରେ ବିଶେଷ କରି ଖାଦ୍ୟର ଗୁଣବତ୍ତା ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାଞ୍ଚ ବେଳେ ଅନେକ ସ୍ଥାନରେ ବାସି ତଥା ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରୟ ହେଉଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ସେହି ସମସ୍ତ ଅପରିଷ୍କାର ଖାଦ୍ୟକୁ ତୁରନ୍ତ ନଷ୍ଟ କରାଯିବା ସହ ବ୍ୟବସାୟୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ବିଭିନ୍ନ ଦୋକାନୀଙ୍କ ଠାରୁ ସର୍ବମୋଟ ୨୭,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଥିବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ପଲିଥିନ ବ୍ୟବହାର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟିମ୍ ପକ୍ଷରୁ ବିଭିନ୍ନ ଦୋକାନରୁ ପ୍ରାୟ ୨୮୮ କେଜି ନିଷିଦ୍ଧ ପଲିଥିନ ଜବତ କରାଯାଇଛି। ଏହା ସହିତ ରାସ୍ତା କଡ଼ରେ ବେଆଇନ ଭାବେ ଗଢ଼ି ଉଠିଥିବା ଅସ୍ଥାୟୀ ମାଂସ ଦୋକାନଗୁଡ଼ିକୁ ପୌରପାଳିକା ଟିମ୍ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଆଗାମୀ ଦିନରେ ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ଏହିଭଳି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande