
କେନ୍ଦୁଝର, ୯ ଏପ୍ରିଲ୍ (ହି.ସ.)- ଆଜି ଠାରୁ ଘଟଗାଁ ମା' ତାରିଣୀଙ୍କ ପ୍ରସିଦ୍ଧ ୯୦ତମ ଚଇତି ପର୍ବ ଆରମ୍ଭ ହୋଇଛି । ସପ୍ତାହେ ଧରି ମା'ଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମା'ଙ୍କୁ ସୁନାବେଶରେ ସଜ୍ଜିତ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଆଜି ସକାଳୁ ଦେହୁରୀ ମାନେ ମା'ଙ୍କ ମାର୍ଜନା, ବଡ଼ସିଂହାର ବେଶ, ଷୋଡ଼ଶ ଉପଚାର, ମଙ୍ଗଳ ଆଳତି କରି ସୁନାବେଶ କରାଯାଇଛି। ଏହା ସହ ମନ୍ଦିର ପରିସରରେ ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡୀପାଠ ଓ ସତ୍ୟନାରାୟଣ ପୂଜା କରାଯିବ, ୧୦୮ ନଡ଼ିଆ ପୂଜାପାଇଁ ଦୁଆରଶୁଣୀ ମନ୍ଦିରରେ ବ୍ୟବସ୍ଥା କରାଯାଇଥିବା ମନ୍ଦିର ଦେହୁରୀ ରବି ଦେହୁରୀ ପ୍ରକାଶ କରିଛନ୍ତି। ଚଇତି ପର୍ବରେ ମା'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଘଟଗାଁ ଆସିବେ। ହଜାର ହଜାର ଗାଡ଼ି ଆସିବ ତିନିଟି ସ୍ଥାନ ଘଟଗାଁ ହାଟପଡ଼ିଆ, ଶାଳବଣ ବାଙ୍କ, ସରସ୍ବତୀ ଶିଶୁମନ୍ଦିର ପଡ଼ିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଆନନ୍ଦପୁର ଆଡୁ ଆସୁଥିବା ଗାଡ଼ି ଗୁଡ଼ିକ ଶାଳବଣ ବାଙ୍କ, କେନ୍ଦୁଝର ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ହାଟପଡ଼ିଆ ଓ ହରିଚନ୍ଦନପୁର ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ସରସ୍ବତୀ ଶିଶୁମନ୍ଦିର ପଡ଼ିଆରେ ପାର୍କିଂ କରିବେ। ଘଟଗାଁ ଏସବିଆଇ, ମା' ହୋଟେଲ ଏବଂ ଶନିମନ୍ଦିର ନିକଟରେ ସ୍ବାଗତ ତୋରଣ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନେ ଖରାରୁ ରକ୍ଷା ପାଇବା ପାଇଁ ମା' ତାରିଣୀ ପୀଠକୁ ସମ୍ପୂର୍ଣ୍ଣ ଭାବେ ତାରପୋଲିନ ଛାଉଣି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ମନ୍ଦିର ସମ୍ମୁଖ, ୪ ନମ୍ବର ଗେଟ୍ ଓ ବଜାରକୁ ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଥିବା ପ୍ରକାଶ କରିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର।
ଚଇତି ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ଗତକାଲି ପୂଜକ ଓ ସେବାୟତମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଭୁବନେଶ୍ବରସ୍ଥିତ ଦେବୋତ୍ତର ଉପଆୟୁକ୍ତ ଦିଲ୍ଲୀପ କୁମାର ଶତପଥୀ, ସମ୍ବଲପୁରସ୍ଥିତ ସହକାରୀ ଅତିରିକ୍ତ ଦେବୋତ୍ତର ଆୟୁକ୍ତ ବିକାଶ ଗୋୟଲ ପ୍ରମୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ ଚଇତି ପର୍ବର ଶୁଭାରମ୍ଭ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA