
ଜୟପୁର, ୯ ଏପ୍ରିଲ୍ (ହି.ସ.)- ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ର ସିଜିମାଳି ଖଣି ଅଞ୍ଚଳର ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମକୁ ପୋଲିସ ଘେରାଉ କରି ଲୁହବୁହା ଗ୍ୟାସ ପ୍ରୟୋଗ କରି, ଲାଠିମାଡ କରି ଗ୍ରାମବାସୀଙ୍କୁ ଉକ୍ତ ଅଞ୍ଚଳ ଛାଡିଯିବା ପାଇଁ ଏକ ଘୃଣ୍ୟ ଷଡ଼ଯନ୍ତ୍ର କରିଥିଲା ପ୍ରଶାସନ ଓ ପୋଲିସ । ଉକ୍ତ ଅଞ୍ଚଳରେ ବେଦାନ୍ତ ଆଲୁମିନା କମ୍ପାନୀ ପାଇଁ ରାସ୍ତା ତିଆରି କରିବା ପାଇଁ ସରକାରୀ କଳ ଅତ୍ୟନ୍ତ ବ୍ୟସ୍ତ, ଅଥଚ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇନାହିଁ । ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ଏବଂ ପଞ୍ଚମ ସେଡ୍ୟୁଲ୍ ରେ ଆସୁଥିବାରୁ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରି ପୋଲିସ ଛାଉଣୀ ହଟେଇବା ଏବଂ କାହାକୁ ଅଞ୍ଚଳରେ ଏକାଠି ହେବା ପାଇଁ ନଦେବା ପେସା ଓ ଜଙ୍ଗଲ ଅଧିକାର ଆଇନର ସ୍ପଷ୍ଟ ଉଲ୍ଲଂଘନ। କୋରାପୁଟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ବିନା ପଲ୍ଲୀସଭାରେ ହେଉଛି । ରାଜ୍ୟ ଏବଂ କେନ୍ଦ୍ରରେ ଡବଲ୍ ଇଞ୍ଜିନ୍ ସରକାର କର୍ପୋରେଟ ହାଉସ୍ ଓ ବଡ଼ ବଡ଼ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଦିବାସୀଙ୍କ ଜୀବନ ଜୀବିକାକୁ ପଦଦଳିତ କରୁଛନ୍ତି । ଦେଶର ରାଷ୍ଟ୍ରପତି ଆଦିବାସୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ହେଲେ କାହିଁକି ଆଦିବାସୀ ମାନଙ୍କୁ ହଜାର ହଜାର ବର୍ଷ ଧରି ରହି ଆସୁଥିବା ଅଞ୍ଚଳରୁ ଉତଖାତ କରାଯାଉଛି ବୋଲି ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆଦିବାସୀ ମାନଙ୍କ ଜମି ଜଳ ଜଙ୍ଗଲର ଅଧିକାରକୁ ପଦଦଳିତ କରିବା ବନ୍ଦ ହେଉ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କୋରାପୁଟ ଜିଲ୍ଲା ପରିଷଦ ଦାବୀ କରିଛି ।
ଆଜି ସିଜିମାଳି ଅଞ୍ଚଳର ଆଦିବାସୀ ମାନଙ୍କ ପ୍ରତି ସଂହତି ଜଣାଇ ମଧ୍ୟାହ୍ନ ୧୨ଟା ସମୟରେ ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ନେତା ଓ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଯୁଧିଷ୍ଠିର ରାଉଳ, ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ଜିଲ୍ଲା ସହସମ୍ପାଦକ ବୁଦ୍ରା ବଡନାୟକ, ଯୁବ ନେତା ନନ୍ଦ ହରିଜନ, ଛାତ୍ର କୃଷ୍ଣ ଖରା ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି