

ସମ୍ବଲପୁର, ୦୯ , ଏପ୍ରିଲ୍ (ହି.ସ.)
ନିଶା କବଳରୁ ମୁକ୍ତ ହୋଇ ଏକ ସୁସ୍ଥ ଓ ସ୍ୱାଭାବିକ ଜୀବନକୁ ଫେରିଛନ୍ତି ସମ୍ବଲପୁର ଜିଲ୍ଲାର ଦୁଇ ଯୁବକ। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ‘ଦିଶା’ ଯୋଜନାରେ ସେମାନଙ୍କର ସଫଳ ପୁନର୍ବାସ ହୋଇଥିବା ଦେଖିବାକୁ ମିଳିଛି ।
ସମ୍ବଲପୁର ହୀରାକୁଦ ଅଞ୍ଚଳର ଦେବରାଜ ପ୍ରଧାନଙ୍କ ପୁଅ ହର ପ୍ରଧାନ ଏବଂ ସମ୍ବଲପୁର ଝାଡୁଆପଡାର ଅନ୍ୟ ଜଣେ ପଲଉ କର୍ଣ୍ଣଙ୍କ ପୁଅ ବାଲ୍ମୀକି କର୍ଣ୍ଣ କୁଜଙ୍ଗରେ ପଡି ମାରାତ୍ମକ ନିଶା ସେବନର ଶିକାର ହୋଇ ପଡିଥିଲେ। ପରିବାର ଓ ସମାଜଠାରୁ ଦୂରେଇ ଯାଇଥିବା ଏହି ଯୁବକମାନଙ୍କୁ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ଥିବା ସର୍ଲାକାନି ସ୍ଥିତ ‘ନମଃ ଫାଉଣ୍ଡେସନ’ ଆବାସିକ ନିଶାମୁକ୍ତ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନର ଚିକିତ୍ସା, କାଉନସେଲିଂ ଏବଂ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଏବେ ଦୁଇ ଜଣ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ପରିବାର ନିକଟକୁ ଫେରିଛନ୍ତି। ସେମାନଙ୍କର ଏହି ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଅଧିକାରୀ ଓ ନମଃ ଫାଉଣ୍ଡେସନ’ ଆବାସିକ ନିଶାମୁକ୍ତ କେନ୍ଦ୍ରର ପରିଚାଳକଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଯାଇଛନ୍ତି। ନିଶା ଏକ ବ୍ୟାଧି, ଯାହାକୁ ଉପଯୁକ୍ତ ଚିକିତ୍ସା ଓ ସାମାଜିକ ସହଯୋଗ ଦ୍ୱାରା ଦୂର କରାଯାଇପାରିବ। ଏହି ଦୁଇ ଯୁବକ ଆଜି ସମାଜ ପାଇଁ ଉଦାହରଣ ସାଜିଛନ୍ତି। ଆମେ ଆଶା କରୁଛୁ ସେମାନେ ଏକ ସୁସ୍ଥ, ନିରାମୟ ଓ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବା ସହିତ ଅନ୍ୟ ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କ ପାଇଁ ପ୍ରେରଣାଦାୟୀ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ