
କନ୍ଧମାଳ, ୯ ଏପ୍ରିଲ୍ (ହି.ସ.)- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅଧୀନରେ ଥିବା ସଲାଗୁଡା ଗାଁ ନିକଟରେ ଥିବା ମୁଣ୍ଡିକୂପା ଜଙ୍ଗଲର ଏକ ଆମ୍ବ ଗଛରୁ ଜଣେ ଯୁବକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ସାରଙ୍ଗଗଡ଼ ପୋଲିସ I ମୃତକ ଜଣକ ଫିରିଙ୍ଗିଆ ଥାନା ଉପର ଦଣ୍ଡିକିଆ ଗାଁ ର ସ୍ବର୍ଗତ ନୀଳମ୍ବର କହଁରଙ୍କ ପୁଅ କରୁଣାକର କହଁର ବୋଲି ଜଣାପଡିଥିବା ବେଳେ ସେ ଦୀର୍ଘ ବାର ବର୍ଷ ହେବ କେରଳର ଏକ କମ୍ପାନୀରେ ରହି କାମ କରି ଆସୁଥିଲେ I
ସୂଚନା ଅନୁସାରେ, ବୁଧବାର ସଲାଗୁଡା ଗାଁ ର କିଛି ଲୋକ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ I ଖବର ପାଇ ସାରଙ୍ଗଗଡ଼ ଥାନା ଅଧିକାରୀ ସ୍ମିତା ଜେନା ସାଇଂଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟ କୁ ପଠେଇ ଦେଇ ଅଧିକ ତଦନ୍ତ ଜାରି ରଖିଛନ୍ତି I ସେପଟେ ଘଟଣାକୁ ନେଇ ସାରଙ୍ଗଗଡ଼ ଥାନାରେ ୦୪/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି I ତେବେ ମୃତ ଯୁବକ ଜଣକ କାମ କରିବା ପାଇଁ ଦୀର୍ଘ ବାରରୁ ପନ୍ଦର ବର୍ଷ ଧରି କେରଳ ଯାଇ ନିଜ ଘରକୁ ଆସିନଥିବା ବେଳେ ହଠାତ ଏତେ ବର୍ଷ ପରେ ତାଙ୍କ ମୃତଦେହ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି I ଏହା ଆତ୍ମହତ୍ୟା ନା ତାଙ୍କୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ତାହା ସନ୍ଦେହଘରରେ ରହିଥିବା ବେଳେ ସାଇଂଟିଫିକ ଟିମ୍ ର ତଦନ୍ତ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ଵୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସ୍ମିତା ଜେନା I
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ