
ଜୟପୁର, ୯ ଏପ୍ରିଲ୍ (ହି.ସ.)- ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟ ପରେ କୋରାପୁଟ ଜିଲାରେ ବ୍ୟବସାୟ କ୍ଷେତ୍ରରେ ଏହାର ଗୁରୁତର ପ୍ରଭାବ ପଡିଛି । ବିଶେଷ କରି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା କୋରାପୁଟ ଜିଲାର ଜୟପୁର ସହର, ସେମିଳିଗୁଡା, କୋରାପୁଟ, ବୈପାରିଗୁଡା, ବୋରିଗୁମ୍ମା ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଟିଫିନ ଦୋକାନ, ଫାଷ୍ଟଫୁଡ ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ଉପରେ ଏହାର ସିଧା ସଳଖ ପ୍ରଭାବ ପଡିଛି । ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ରୋଜଗାର ବନ୍ଦ ହୋଇଗଲାଣି । ଦୋକାନୀ ମାନେ ଏଲପିଜି ସଙ୍କଟର ସମ୍ମୁଖୀନ ହୋଇ ସ୍ଥିତି ଦୋହଲି ଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅନେକ ଦୋକାନ ବନ୍ଦ ହୋଇଗଲାଣି । ଏପରି ସ୍ଥିତିରେ କିଛି ବ୍ୟବସାୟୀ କଳା ବଜାରୀରେ ବଡ଼ ଗ୍ୟାସ କିଣି ଦୋକାନ ଚଳାଉଛନ୍ତି । ଫଳରେ ମାର୍କେଟରେ ଗ୍ୟାସ କଳାବଜାରୀ ବଢୁଥିବା ବେଳେ ଅଧିକ ଦାମ୍ ରେ ଗ୍ୟାସ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଅପରପକ୍ଷେ ବେଆଇନ କଳାବଜାରୀ
ରୋକିବା ଏବଂ ପ୍ରକୃତ ଉପଭୋକ୍ତାଙ୍କୁ ଯୋଗାଣ ସୁନିଶ୍ଚିତ କରିବା ପାଇଁ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଖୋଲା ବଜାର ବିକ୍ରୟକୁ ନିଷିଦ୍ଧ କରିଛନ୍ତି ସରକାର । କେବଳ ଅଧିକୃତ ବିତରକମାନେ ଏବେ ବି ଗ୍ରାହକ ମାନେ ସେଗୁଡିକୁ କିଣିବା ପାଇଁ ବାଧ୍ୟତାମୂଳକ ଇ -କେୱାଇସି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସରକାରଙ୍କ ଏହି ନିୟମ ପରେ ଗ୍ରାମାଞ୍ଚଳରେ ଥିବା ଘରୋଇ ସ୍କୁଲ ଗୁଡିକ ମେସରେ ରହୁଥିବା ଛାତ୍ରଛାତ୍ରୀ ମାନେ ଚିନ୍ତାରେ ପଡିଛନ୍ତି । ଏଥି ସହିତ ଗ୍ରାମାଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ଲୋକମାନେ ଯେଉଁମାନେକି ଉଠା ଦୋକାନ ପକାଇ ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ସଙ୍କଟରେ ପଡ଼ିଥିବା ବେଳେ ଜୀବନ ଜୀବିକା ନେଇ ଆଶଙ୍କାରେ ପଡିଛନ୍ତି । ତେବେ ଫାଷ୍ଟଫୁଡ ଏବଂ ଜଳଖିଆ ପ୍ରସ୍ତୁତି ପାଇଁ ସମସ୍ତେ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଏବେ ଏଲପିଜି ସଙ୍କଟ ପରେ ଏମାନଙ୍କ ଦୋକାନରେ ଚୁଲା ଜଳିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ଉଠା ଦୋକାନୀଙ୍କ ଗ୍ୟାସ ସମସ୍ୟା ଚିନ୍ତାର କାରଣ ହୋଇଛି । ରୋଷେଇ ଘରେ ଗ୍ୟାସ ନାହିଁ । ଖାଇବା ପାଇଁ ଲୋକମାନେ ନାହିଁ ନଥିବା କଲବଲ ହେଲେଣି । ଗ୍ୟାସ ପାଇଁ ସବୁଆଡ଼େ ହାହାକାର ପଡିଲେଣି । ସରକାର ନିଦା ବିଷ୍ଣୁ ହୋଇ ବସିଛନ୍ତି । ଗ୍ୟାସ ବୁକିଂ ପରେ ଗ୍ୟାସ ଯୋଗାଣ କରାଯିବ ବୋଲି ଯୋଗାଣ ବିଭାଗ ମନ୍ତ୍ରୀ ଘୋଷଣା କରିଛନ୍ତି । ବୁକିଂ ପରେ ମଧ୍ୟ ଗ୍ୟାସ ମିଳୁ ନାହିଁ । କିରୋସିନ ଲିଟର ଏବେ ଚୋରାରେ ୧୫୦ ଟଙ୍କା ହେଲେଣି । ଷ୍ଟୋଭରେ ରୋଷେଇ କରିବା ଲୋକଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ । ରାସ୍ତା କଡରେ ଥିବା ସବୁ ହୋଟେଲ, ଜଳଖିଆ ଓ ଫାଷ୍ଟଫୁଡ ଦୋକାନ ଗୁଡିକ ବନ୍ଦ ହୋଇଗଲେଣି । କାଠ ଚୁଲିରେ ଲୋକମାନେ ରୋଷେଇ କରି ଚଳୁଥିଲେ । ସରକାରୀ ଉଜ୍ଵଳା ଯୋଜନାରେ ଲୋକଙ୍କୁ ଗ୍ୟାସ ଯୋଗାଣ କରାଯିବାରୁ ମାଟି ଚୁଲି ଲୋକମାନେ ଭାଙ୍ଗି ଦେଇସାରିଛନ୍ତି । ଘରେ ମହିଳା ମାନେ ଆଉ କାଠ ଚୁଲିରେ ରୋଷେଇ କରିବାକୁ ଚାହୁଁନାହାନ୍ତି । ଜାଳେଣି କାଠ ଦର ଏବେ କୁଇଣ୍ଟାଲ ପ୍ରତି ୧୫ଶହ ଟଙ୍କା ହେଲାଣି , ତେବେ ତାହା ବି ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ । ଯୁବକମାନେ ଖାଲି ସିଲିଣ୍ଡର ନେଇ ଗ୍ୟାସ ଡିପୋ ଆଗରେ ଲାଇନ ଲଗାଇ ଦିନ ଦିନ ଧରି ଅପେକ୍ଷା କରି କିଛି କିଛି ଗ୍ୟାସ ଆଣୁଥିବା ଲକ୍ଷ୍ୟ କରାଯାଇଛି । ହେଲେ ଗ୍ୟାସ ଡୋର ଟୁ ଡୋର ଡେଲିଭରି ନହେବାରୁ ବରିଷ୍ଠ ନାଗରିକ ମାନେ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି । ଯୋଗାଣ ମନ୍ତ୍ରୀ କହୁଛନ୍ତି ଗ୍ୟାସ ମହଜୁଦ ରହିଛି । କାହାର ଅସୁବିଧା ହେବାକୁ ଦିଆଯିବ ନାହିଁ । ଲୋକମାନଙ୍କ ସୁବିଧା ପାଇଁ ଗ୍ୟାସ ଯୋଗାଣ ନିୟମ ସରଳ କରି ପୂର୍ବପରି ତୁରନ୍ତ ଲୋକଙ୍କୁ ଗ୍ୟାସ ଯୋଗାଣ କରିବାକୁ ଦାବି ହୋଇଛି । ସରକାର ଗ୍ରାମାଞ୍ଚଳକୁ ଆସି ସ୍ଥିତି ଅନୁଧ୍ୟାନ କଲେ ବାସ୍ତବ ସମସ୍ୟା ବୁଝି ପାରିବେ ବୋଲି ଆଲୋଚନା ହୋଇଛି । ହୋଟେଲ ଆଦି ବନ୍ଦ ହୋଇ ଯାଇଥିବାରୁ ହୋଟେଲରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ରୋଜଗାର ବନ୍ଦ ହୋଇଗଲାଣି । ତେଣୁ ସରକାର ଆଶୁ ପଦକ୍ଷେପ ନେବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି