
କେନ୍ଦ୍ରାପଡା-୦୯/୦୪: ନିକଟରେ କିଛି ବର୍ଷ ଧରି କ୍ରମାଗତ ଭାବେ ଉଭୟ ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ଓଡ଼ିଶାର ପାରାକ୍ରୀଡ଼ାବିତ୍ମାନେ ବିଭିନ୍ନ ଇଭେଣ୍ଟରେ ପଦକ ଜିତି ବ୍ୟକ୍ତିଗତ ରେକର୍ଡ ସହ ଦେଶ ଓ ରାଜ୍ୟକୁ ଗୌରାବାନ୍ୱିତ କରି ଆସୁଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜିତ କୁମାର ଚାନ୍ଦ,ମୋନାଲି ସ୍ୱାଇଁ,ବଳରାମ ସ୍ୱାଇଁ,ପ୍ରଶାନ୍ତ ନାୟକ,ଉଦୟ ଜେନା, ସୁଧୀର ମଲିକ ପ୍ରମୁଖ ଯୁବ ପାରାକ୍ରୀଡ଼ାବିତ୍ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ପଦକ ଅର୍ଜନ କରି ଆମ ଜିଲ୍ଲାକୁ ଗୌରାବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗତ ବର୍ଷ ଆବିଲିଟି ଇଣ୍ଟରନ୍ୟାଶନାଲ ପାରାସ୍ପୋର୍ଟ୍ସ ଓ ନିକଟରେ ବିଶ୍ୱ ପାରା ଆଥଲେଟର ଜାଭେଲିନ୍ ଥ୍ରୋ ବିଭାଗରେ ପଦକ ଅର୍ଜନ କରିଥିବା ମାର୍ଶାଘାଇ ବ୍ଲକ ଖମଙ୍ଗା ଗ୍ରାମର ରଞ୍ଜିତ କୁମାର ଚାନ୍ଦ ସଦ୍ୟ ସମାପ୍ତ ହୋଇଥିବା ଜାତୀୟ ପାରା ପ୍ରତିଯୋଗିତାରେ ଉକ୍ତ ବର୍ଗରେ କାଂସ୍ୟ ପଦକ ହାସଲ କରି କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ମାତ୍ର ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ଥିବା ଏହି ପାରାପାରାକ୍ରୀଡ଼ାବିତ୍ମାନେ ଅଭ୍ୟାସ ନିମନ୍ତେ କଳିଙ୍ଗ ଷ୍ଟାଡିୟମ୍ରେ ରହିବା ସୁବିଧାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ସ୍ପୋର୍ଟ୍ସ କ୍ୟାରିୟରର ଉତ୍ତରୋତ୍ତର ଉନ୍ନତି ପାଇଁ ଷ୍ଟାଡିୟମ୍ରେ ଆବାସ ସୁବିଧା ସହ ଅଭ୍ୟାସ ଆବଶ୍ୟକତା ରହିଛି । ସେମାନଙ୍କ ଭବିଷ୍ୟତ ଓ ଆର୍ଥିକ ଅସୁବିଧା ଜନିତ ସଂଘର୍ଷକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ୟ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କୁ ପ୍ରଦାନ କରା ଯାଇଛି । ଯେଉଁଥିରେ ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ନିର୍ଦ୍ଧେଶକଙ୍କୁ ସଫଳ ପାରାକ୍ରୀଡ଼ାବିତ୍ଙ୍କ କଳିଙ୍ଗ ଷ୍ଟାଡିୟମ୍ରେ ନିଃଶୁଳ୍କ ଆବାସ ସୁବିଧା ପାଇଁ ସୁପାରିଶ କରିବା ନିମନ୍ତେ ଅନୁରୋଧ କରାଯାଇଛି । ଏହି ପତ୍ର ପ୍ରଦାନ ସମୟରେ ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି,ସଦସ୍ୟ ଶେଷଦେବ ପ୍ରସାଦ ଦାସ ଓ ଜିଲ୍ଲା ପାରାକ୍ରୀଡା ସଂଘର ସମ୍ପାଦକ ସାଗର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି