
Odisha, 09 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା, ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଜନ୍ମିତ ବାପା ଶିଶୁଟି ଚୋରି ହୋଇଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରୁଥିଲେ, ସେ ନିଜେ ହିଁ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୋଲିସ ସୂଚନା ଦେଇଛି। ତେବେ ପୋଲିସ ଚୋରି ହୋଇଥିବା ଶିଶୁଟିକୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପିତା ଓ ତାଙ୍କ ପ୍ରଥମ ସ୍ତ୍ରୀକୁ ଗିରଫ କରିଛି।ପୋଲିସ ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ଚେନ୍ନାଇରେ ନିଜ ଶାଳୀଙ୍କ ସହ ରହୁଥିଲେ। ସେଠାରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହି କାରଣରୁ ପ୍ରଶାନ୍ତ ଗାଁରେ ଥିବା ନିଜ ପ୍ରଥମ ସ୍ତ୍ରୀଙ୍କ ନିକଟକୁ ଆସୁ ନ ଥିଲେ କି ଭରଣପୋଷଣ ପାଇଁ ଟଙ୍କା ଦେଉନଥିଲେ। ଶେଷରେ ଶାଳୀଙ୍କ ସନ୍ତାନକୁ ନିଜ ଜୀବନରୁ ହଟାଇବା ପାଇଁ ପ୍ରଶାନ୍ତ ଏକ ସୁଚିନ୍ତିତ ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଗତ ୭ ତାରିଖ ରାତିରେ ସେ ଚେନ୍ନାଇରୁ ଆସି ନିରାକାରପୁର ଷ୍ଟେଶନର ୩ ନଂ ପ୍ଲାଟଫର୍ମରେ ଓଲ୍ଲାହି ଶାଳୀ ଓ ଶିଶୁଟି ସହ ବିଶ୍ରାମ ନେଇଥିଲେ। ରାତି ପ୍ରାୟ ସାଢେ ୧୨ଟା ବେଳେ ଶାଳି ନିଦ୍ରାରେ ଶୋଇପଡିଥିବାର ସୁଯୋଗ ନେଇ ସେ ନିଜ ପ୍ରଥମ ସ୍ତ୍ରୀକୁ ରଣପୁରରୁ ଡକାଇ ଶିଶୁଟିକୁ ତାଙ୍କ ହାତକୁ ଟେକି ଦେଇଥିଲେ।ପରେ ପିଲାଟି ଚୋରି ହୋଇଯାଇଥିବା ନେଇ ମିଛ କାନ୍ଦବୋବାଳି କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ନିରାକାରପୁର ରେଳବାଇ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ପ୍ରଶାନ୍ତଙ୍କ କଥାରେ ତାଳମେଳ ରହୁନଥିବା ଜାଣିପାରି ପୋଲିସ ତାଙ୍କୁ ଜେରା କରିଥିଲା। ଶେଷରେ ପୋଲିସ ଆଗରେ ପ୍ରଶାନ୍ତ ନିଜର ଦୋଷ ସ୍ବୀକାର କରିବା ସହ ଗାଁ ରେ ଥିବା ନିଜର ପ୍ରଥମ ସ୍ତ୍ରୀକୁ ଦେଇଥିବା ନେଇ ପୋଲିସ ନିକଟରେ ସତ ମାନିଥିଲା।ପରେ ରେଳବାଇ ପୋଲିସ ଏଏସଆଇ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ରଣପୁରର କଳାମାଟିଆ ଗ୍ରାମରେ ଚଢ଼ାଉ କରି ଶିଶୁଟିକୁ ଉଦ୍ଧାର କରିବା ସହ ପ୍ରଶାନ୍ତଙ୍କ ପ୍ରଥମ ସ୍ତ୍ରୀକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ