
ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲୋଇସିଂହ ପଞ୍ଚାୟତର ତିଳେଇମାଲ ଗ୍ରାମ ପାର୍ଶ୍ବରେ ଏନଟିପିସି ଦ୍ୱାରା ପ୍ରସ୍ତାବିତ ଆସ୍ ପଣ୍ଡ୍କ କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସରପଞ୍ଚ ସନାତନ ରୋହିଦାସ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରକଳ୍ପ ମାଧ୍ୟମରେ ନିରୀହ ଆଦିବାସୀମାନଙ୍କୁ ଶୋଷଣ କରାଯାଉଛି। ସମ୍ମିଳନୀରେ ରାଜପୁର ସରପଞ୍ଚ ସରସ୍ବତୀ ନାୟକ, ସମିତି ସଭ୍ୟା ସସ୍ମିତା ତନ୍ତୀ, ଚାନ୍ଦିନୀମାଲ ସରପଞ୍ଚ ଲକ୍ଷ୍ମୀଧର ମିଶ୍ର ଓ ଗୌଡ଼ମାଳ ସରପଞ୍ଚ ରାଜ କୁମାର ସାଏ ଉପସ୍ଥିତ ଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ବୁଧବାର ତିଳେଇମାଲ ଗ୍ରାମରେ ଆୟୋଜିତ ଜନଶୁଣାଣି ସମ୍ପୂର୍ଣ୍ଣ ଭାବେ ବେଆଇନ ଭାବେ କରାଯାଇଛି। ସରପଞ୍ଚମାନଙ୍କ କହିବା ଅନୁଯାୟୀ, ଜନଶୁଣାଣି ପୂର୍ବରୁ ପଞ୍ଚାୟତବାସୀଙ୍କୁ ଚିଠି ମାଧ୍ୟମରେ ସୂଚିତ କରିବା ସହ ବିସ୍ଥାପିତ ହେବାକୁ ଥିବା ଲୋକମାନଙ୍କୁ ୧୫ ଦିନ ପୂର୍ବରୁ ଗ୍ରାମସଭା ମାଧ୍ୟମରେ ଅବଗତ କରାଯିବା ନିୟମ ରହିଛି। କିନ୍ତୁ, ଏହି ସବୁ ପ୍ରକ୍ରିୟାକୁ ଅବହେଳା କରାଯାଇଛି। ତିଳେଇମାଲ ଗ୍ରାମର ପ୍ରାୟ ୮୭ ପ୍ରତିଶତ ଲୋକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ଚଳାଉଛନ୍ତି। ନୂତନ ଆସ୍ ପଣ୍ଡ୍ ନିର୍ମାଣ ହେଲେ ସେମାନଙ୍କ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା କରିଛନ୍ତି। ଏହାସହ, ପୂର୍ବରୁ ଥିବା ଆସ୍ ପଣ୍ଡ୍ ପ୍ରଭାବରେ ବସୁନ୍ଧରା ଓ ବାଘେଇନାଳ ନଦୀର ପାଣି ପ୍ରଦୂଷିତ ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହାର ପରିଣାମରେ ଚାଷବାସ ନଷ୍ଟ ହେଉଥିବା ସହ ଲୋକମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଏପରି ପରିସ୍ଥିତିରେ ଆଉ ଗୋଟିଏ ଆସ୍ ପଣ୍ଡ୍ ନିର୍ମାଣ ହେଲେ ସମସ୍ୟା ଅଧିକ ଭୟାବହ ହେବ ବୋଲି ସେମାନେ କହିଛନ୍ତି।
ଅଭିଯୋଗ ଅନୁସାରେ, କମ୍ପାନୀ ପକ୍ଷରୁ ୫ ତାରିଖରେ ନୋଟିସ୍ ଜାରି କରି ୮ ତାରିଖରେ ଜନଶୁଣାଣି କରାଯାଇଥିବା ବେଳେ ଅଭିଯୋଗ ଜଣାଇବାକୁ ଯାଇଥିବା ଲୋକମାନଙ୍କୁ ପୋଲିସ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲା। ଯଦି ଅଞ୍ଚଳବାସୀଙ୍କ ମତାମତକୁ ଅବହେଳା କରି ପ୍ରକଳ୍ପ କାମ ଆରମ୍ଭ କରାଯାଏ, ତେବେ ଚାରି ପଞ୍ଚାୟତର ଲୋକମାନେ ଆନ୍ଦୋଳନରେ ବସିବେ ବୋଲି ସତର୍କ କରାଯାଇଛି। ସରପଞ୍ଚମାନେ ଏହି ଜନଶୁଣାଣିକୁ ବାତିଲ କରି ପୁନର୍ବାର ପଞ୍ଚାୟତବାସୀଙ୍କ ସହ ଆଲୋଚନା କରି ନୂତନ ତାରିଖରେ ଜନଶୁଣାଣି କରିବାକୁ ପ୍ରଶାସନକୁ ଦାବି କରିଛନ୍ତି। ସମସ୍ୟା ସମ୍ପର୍କରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।
ଏନେଇ ଏନଟିପିସି ପକ୍ଷରୁ ସିଏସଆର ବିଭାଗର ଏଚ୍.ଆର୍. ସମୀର ଭଞ୍ଜ କହିଛନ୍ତି ଯେ, ତିଳେଇମାଲ ଗ୍ରାମର ଉନ୍ନତି ଓ ଗ୍ରାମବାସୀଙ୍କ ସମସ୍ୟାର ସମାଧାନକୁ ଧ୍ୟାନରେ ରଖି ଆସ୍ ପଣ୍ଡ୍ ନିର୍ମାଣ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ