
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ରାଜଧାନୀ
ଭୁବନେଶ୍ୱର ଓ ଉପକଣ୍ଠବାସୀଙ୍କ ପାଇଁ ଖୁସି ଖବର। ସହରର ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ
ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ବାଲିଅନ୍ତାରେ ନିର୍ମିତ ୬୦୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ
ବିଦ୍ୟୁତ ଭିତ୍ତିଭୂମିର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ରହିଛି
୩ଟି ଶକ୍ତିଶାଳୀ ଗ୍ରୀଡ଼ ସବ୍ଷ୍ଟେସନ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିଶନ ଲାଇନ।
ଭୁବନେଶ୍ୱରର ବଦଳୁଥିବା କଳେବର ସହ ବଢୁଛି ବିଦ୍ୟୁତର ଚାହିଦା। ଏହି ଚାହିଦାକୁ ଦୃଷ୍ଟିରେ ରଖି
ରାଜ୍ୟ ସରକାର ଏବଂ ଓପିଟିସିଏଲ୍ ପକ୍ଷରୁ ପ୍ରସ୍ତୁତ ଏହି ମେଗା ପ୍ରକଳ୍ପ ଏବେ ପ୍ରସ୍ତୁତ। ଗତ
କିଛି ବର୍ଷର ନିରନ୍ତର ପରିଶ୍ରମ ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ ପରେ ଆଜି ଏହାର
ଶୁଭାରମ୍ଭ ହେବାକୁ ଯାଉଛି। ବିଶେଷ କରି ସହରର ବଢୁଥିବା ଜନସଂଖ୍ୟା ଏବଂ ଆଇଟି ସେକ୍ଟରର
ଆବଶ୍ୟକତାକୁ ଏହା ପୂରଣ କରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱରରେ
ଲୋ-ଭୋଲ୍ଟେଜ୍ ସମସ୍ୟାରୁ ମୁକ୍ତି ମିଳିବ। ଖରାଦିନେ ବିଦ୍ୟୁତ ଟ୍ରିପିଂ କିମ୍ବା ବାରମ୍ବାର
ବିଦ୍ୟୁତ କାଟ୍ ହେବାର ସମ୍ଭାବନା ହ୍ରାସ ପାଇବ। ଏହାସହ, ଯଦି କୌଣସି ଗୋଟିଏ ଗ୍ରୀଡ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦିଏ, ତେବେ ଅନ୍ୟ ଲାଇନ୍ ମାଧ୍ୟମରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ ସହଜ ହେବ।
ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକାର୍ପଣ ଉତ୍ସବ ପରେ ରାଜଧାନୀରେ ବିଦ୍ୟୁତ ଶକ୍ତିର ଏକ ନୂତନ ଯୁଗ
ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହା କେବଳ ଘରୋଇ ଉପଭୋକ୍ତା ନୁହେଁ, ବରଂ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ର ପାଇଁ ମଧ୍ୟ ବରଦାନ ସଦୃଶ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା