ମେଡିକାଲ କଲେଜକୁ ମରଶରୀର ଦାନ
ପୁରୀ, ୯ ଏପ୍ରିଲ୍ (ହି.ସ.)- ଏକ ସାର୍ବଜନୀନ ମହତ ଉଦ୍ଦେଶ୍ୟରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ନିଜ ମାତାଙ୍କ ମୃତଶରୀର ଦାନ କରିଛନ୍ତି ପୁରୀ ସହରର ଜଣେ ଶିକ୍ଷାବିତ୍ । ପୁରୀ ଉପର ନୂଆସାହି ନିବାସୀ ସ୍ଵର୍ଗତ ବୈଦ୍ୟନାଥ ମହାନ୍ତିଙ୍କ ଧର୍ମପତ୍ନୀ ରାଧାମଣି ମହାନ୍ତି ଏପ୍ରିଲ ୬ ତାରିଖ
ମେଡିକାଲ କଲେଜକୁ ମରଶରୀର ଦାନ


ପୁରୀ, ୯ ଏପ୍ରିଲ୍ (ହି.ସ.)- ଏକ ସାର୍ବଜନୀନ ମହତ ଉଦ୍ଦେଶ୍ୟରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ନିଜ ମାତାଙ୍କ ମୃତଶରୀର ଦାନ କରିଛନ୍ତି ପୁରୀ ସହରର ଜଣେ ଶିକ୍ଷାବିତ୍ । ପୁରୀ ଉପର ନୂଆସାହି ନିବାସୀ ସ୍ଵର୍ଗତ ବୈଦ୍ୟନାଥ ମହାନ୍ତିଙ୍କ ଧର୍ମପତ୍ନୀ ରାଧାମଣି ମହାନ୍ତି ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଦେହତ୍ୟାଗ କରିବା ପରେ ତାଙ୍କ ପରିବାର ପକ୍ଷରୁ ମୃତଶରୀରକୁ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଶରୀର ସର ନା (ଆନାଟୋମି) ବିଭାଗରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ଦାନ କରାଯାଇଛି । ନିଜ ମୃତଶରୀର ଦାନ ପାଇଁ ରାଧାମଣିଙ୍କ ସମେତ ତାଙ୍କର ୪ ପୁତ୍ର ଆଗ୍ରହ ପ୍ରକାଶ କରିବା ସହ ଗତ ଅକ୍ଟୋବର ମାସରେ କଲେଜ କର୍ତ୍ତୃପକ୍ଷଙ୍କୁ ଏକ ଇଚ୍ଛାପତ୍ର ପ୍ରଦାନ କରିଥିଲେ । ଗତ ସୋମବାର ସନ୍ଧ୍ୟାରେ ଦେହ ତ୍ୟାଗ ପରେ ତାଙ୍କର ପୁତ୍ର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତର ପ୍ରାଣୀବିଜ୍ଞାନ ପ୍ରାକ୍ତନ ବିଭାଗମୁଖ୍ୟ ପ୍ରଫୁଲ୍ଲ କୁମାର ମହାନ୍ତି, ଶରତ କୁମାର ମହାନ୍ତି, ବସନ୍ତ କୁମାର ମହାନ୍ତି, ରମେଶ କୁମାର ମହାନ୍ତି, କନ୍ୟା ଅନୁପମା ଦାସ ଓ ଅନ୍ୟ ପରିବାର ସଦସ୍ୟମାନେ ରାଧାମଣିଙ୍କ ମରଶରୀରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଆନାଟୋମି ବିଭାଗ ମୁଖ୍ୟ ତଥା ଉପାଧ୍ୟକ୍ଷ ପ୍ରଫେସର ଡା. ଲଲାଟେନ୍ଦୁ ସାଇଁଙ୍କୁ ହସ୍ତାନ୍ତର କରିଥିଲେ । ଏହି ସମୟର କଲେଜର ନୀତିତାତ୍ଵିକ ଭେଷଜ ଓ ବିଷବିଜ୍ଞାନ (ଏଫ୍ଏମ୍ ଟି) ବିଭାଗ ମୁଖ୍ୟପ୍ରଫେସର ଡା. ଅମରେନ୍ଦ୍ର ନାୟକ, ବରିଷ୍ଠ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ଏହି ମରଶରୀରକୁ ବିଭିନ୍ନ ରସାୟନ ପ୍ରୟୋଗ କରି ସଂରକ୍ଷିତ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବହୃତ ହେବ ।

ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପାଇଁ ଏହା ପ୍ରଥମ ମୃତ ଶରୀରଦାନ ଘଟଣା ବୋଲି ଡିନ୍ ପ୍ରଫେସର୍ ଡା. ସବିତା ମହାପାତ୍ର ଓ ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ଡା. ଲଲାଟେନ୍ଦୁ ସାଇଁ କହିଛନ୍ତି । ସାମାଜିକ ସଂସ୍କାର ଓ ପରିବର୍ତନକୁ ଦୃଷ୍ଟିରେ ରଖି ଶିକ୍ଷାର ବିକାଶ କଳ୍ପ ନିଜ ମା’ ଙ୍କ ମରଶରୀର ଦାନ କରିଥିବା ପରିବାର ସଦସ୍ୟମାନେ ପ୍ରକାଶ କରିଥିବା ବେଳେ ଏଭଳି ସାଧୁ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande